ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ଆଜକୁ ଦୁଇଦିନ ହେଲା ଦୁଇଟି ହାତୀଦାନ୍ତ ସହ ୫ ଜଣ ମାଫିଆଙ୍କୁ ଧରିବାରେ ସଫଳ ହୋଇଛି ମୁନିଗୁଡ଼ା ବନ ବିଭାଗ । ଦୁଇଜଣ ମାଫିଆ ମୁନିଗୁଡା ଅଂଚଳର ହୋଇଥିବା ବେଳେ ଅନ୍ୟ ୩ ଜଣ ପଡୋଶୀ କଳାହାଣ୍ଡିର ବୋଲି ଖୋଦ୍ ମୁନିଗୁଡା ରେଞ୍ଜର ଅନିଲ କୁମାର ବଳ କହିଛନ୍ତି । ତେବେ ପୁଷ୍ପା ସିନେମା ଷ୍ଟାଇଲ୍ରେ ମାଫିଆ ଦଳ ନିଜର ଦବ୍ଦବା ଦେଖାଇବାକୁ ଯାଇ ବନବିଭାଗର ଏକ ବୋଲେରୋ ଉପରକୁ ଚାରି ରାଉଣ୍ଡ ଗୁଳି ଚଳାଇବା ଘଟଣା ଅଞ୍ଚଳରେ ଏକ ପ୍ରକାର ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଏହି ଘଟଣା ବନ ବିଭାଗକୁ ହାତୀଦାନ୍ତ ମାଫିଆଙ୍କ ଏକ ପ୍ରକାର ଖୋଲା ଚ୍ୟାଲେଞ୍ଜ ଭଳି ଲାଗୁଛି । ଦେଖିବାକୁ ଗଲେ ଏଭଳି ଘଟଣା ପ୍ରଥମ ଥର ପାଇଁ ଅଂଚଳରେ ଘଟିଛି । ଘଟଣାରେ ପୁଣି କୌଣସି ଏକ ରାଜନୈତିକ ଦଳର ହାତ ଥିବା ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି । ଅନ୍ୟପଟେ ବନବିଭାଗ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ମଧ୍ୟ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବାସ୍ତବରେ ବନବିଭାଗର କୌଣସି କର୍ମଚାରୀଙ୍କ ହାତରେ କେବଳ ଲାଠି ବିନା ଆଉ କିଛି ବି ସୁରକ୍ଷା ପାଇଁ ଅସ୍ତ୍ର ନାହିିଁ । ଏନେଇ ନୂଆ ସରକାର କି ନିଷ୍ପତି ନେବେ ତାହା ଏବେ ବି କାହାରିକୁ ଜଣାନାହିିଁ । ବନ ବିଭାଗର ଗାଡିକୁ ମାଫିଆଙ୍କ ଫାଇରିଙ୍ଗ୍ ପରେ ବନ କର୍ମଚାରୀଙ୍କ ଜୀବନ ରକ୍ଷାକୁ ନେଇ ରେଞ୍ଜ ଅଫିସର୍ଙ୍କ ଚିନ୍ତା ଆଉ ଦାୟିତ୍ୱ, ମାଫିଆମାନଙ୍କୁ ଆହୁରି ଦୃଢ଼ କରିବା ପାଇଁ ସକ୍ଷମ ହେବନାହିିଁ ତ ? ଏଭଳି ପ୍ରଶ୍ନ ଉଠୁଛି ବୁଦ୍ଧିଜୀବୀ ମହଲରେ ।