jayashree

ଅବହେଳିତ ଅବସ୍ଥାରେ ବାସନ୍ତୀ କଲୋନୀ ଚିଲଡ୍ରେନ ପାର୍କ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ଫେଜ ୧, ଏଲ୍‌ ବ୍ଲକ ସ୍ଥିତ ଚିଲଡ୍ରେନ ପାର୍କର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଥିବା ବେଳେ ପିଲାମାନଙ୍କ ପାଇଁ କୌଣସି କ୍ରୀଡା ସରଞ୍ଜାମ ନାହିଁ । କ୍ରୀଡା ସାମଗ୍ରୀର ରକ୍ଷଣାବେକ୍ଷଣର ଅଭାବ । ଏହା ସହ ଅସାମାଜିକ ତତ୍ୱଙ୍କ ଦୌରାତ୍ମ ବୃଦ୍ଧି ପାଉଛି । ଏନେଇ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ମାନେ ମ୍ୟୁନିସିପାଲଟିର ବିଭାଗୀୟ ଅଧିକାରୀଙ୍କୁ ଭେଟି ଏହା ଉପରେ ଦୃଷ୍ଟି ଦେବାକୁ ଜଣାଇଥିଲେ । ଏ ସମ୍ପର୍କରେ ପ୍ରିୟବ୍ରତ ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ, ଏ ସମ୍ପର୍କରେ ଗତ ନଭେମ୍ବର ୮ ତାରିଖରେ ଜେଇ ସୁଶାନ୍ତ ପାତ୍ରଙ୍କୁ ଦାୟିତ୍ଵ ଦିଆଯାଇଛି । ଫୁଟପାଥ, ଆଲୋକିକରଣ, ଜିମ ଉପକରଣର ମରାମତି, ଡଷ୍ଟବିନ, ବସିବା ପାଇଁ ଚେୟାର ବ୍ୟବସ୍ଥା କରିବାପାଇଁ କୁହାଯାଇଛି । ତେବେ ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ଏ ସମ୍ପର୍କରେ ଆମେ ୪ବର୍ଷ ହେଲାଣି ଦୌଡୁଛୁ, କେହି ଆମ କଥା ଶୁଣୁନାହାନ୍ତି । ବାରମ୍ବାର ଦୌଡ଼ିବା ପରେ ଗତ ଦେଢ ବର୍ଷ ତଳେ କିଛି ଖେଳ ସାମଗ୍ରୀ ଲଗାଯାଇ ଅଧାପନ୍ତରିଆ ଆବସ୍ଥାରେ ଛାଡି ଦିଆଯାଇଛି । ସୂଚନାଯୋଗ୍ୟ ଯେ, ରାଉରକେଲା ମ୍ୟୁନିସିପାଲଟି ଅନ୍ତର୍ଗତ ପ୍ରାୟ ୧୬୦ଟି ପାର୍କରୁ ଛେଣ୍ଡରେ ୩୮ ଟି, କୋଏଲ ନଗରରେ ୪୨ଟି, ବାସନ୍ତୀ କଲୋନୀରେ ୧ ଟି ପାର୍କ ଥିବାବେଳେ ସହରର ବିଭିନ୍ନ ଅଂଚଳରେ ବାକି ପାର୍କ ସବୁ ଅଛି । ଏଥି ମଧ୍ୟରୁ ୩୭ଟି ପାର୍କ ଏସ୍‌ଏଚ୍‌ଜି ଗୃପ ଚଳାଇଥାନ୍ତି । ତେବେ ବାସନ୍ତୀ କଲୋନୀର ଏହି ପାର୍କଟି ୨୦୨୨ ମସିହାରେ ମୁକ୍ତା ଯୋଜନାର ଅନ୍ତର୍ଗତ ଥିଲା । ସେହି ସମୟରେ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା । ଏ ସମ୍ପର୍କରେ ଜେଇ ଶ୍ରୀ ପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ ବହୁତ ଗୁଡିଏ କାମ କରିସାରିଛୁ । ବାକି ଯାହା ରହିଛି ତାକୁ ଶୀଘ୍ର ସାରିଦେବୁ । ତେବେ ଏ ସମ୍ପର୍କରେ ଆଜି ପୁଣି ସ୍ଥାନୀୟ ବାସିନ୍ଦାଙ୍କ ତରଫରୁ ହରିହର ମହାନ୍ତି, ଏଲ୍‌ ପଟ୍ଟନାୟକ, ଖଗେଶ୍ୱର ସାହୁ, ଗଗନାନନ୍ଦ ପ୍ରଧାନ, ଗଗନ ବିହାରୀ ରାଉତ, ଦିଲ୍ଲୀପ ବାଗ, ତରୁଣ ପଟ୍ଟନାୟକ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରି ଏହାର ସମାଧାନ କରିବା ପାଇଁ ଅନୁରୋଧ କରିଛନ୍ତିି ।

Leave A Reply

Your email address will not be published.