- ଦୂରଦର୍ଶନ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଧନ୍ୟବାଦ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ବାଙ୍ଗିରିପୋଷିରେ ବିଭିନ୍ନ ରେଳ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ସାନ୍ତାଳୀ ଭାଷାରେ ସମାଚାର ପ୍ରସାରଣ ସମ୍ପର୍କରେ ସୂଚନା ଦେଇଥିଲେ ଅଶ୍ୱିନୀ ବୈଷ୍ଣବ
- ସାନ୍ତାଳୀ ସମାଚାର ସାନ୍ତାଳୀ ସମୁଦାୟର ସ୍ୱପ୍ନ ଓ ଆକାଂକ୍ଷାର ପ୍ରତୀକ
ଭୁବନେଶ୍ୱର, (ପିଆଇବି) : ଡିଡି ଓଡ଼ିଆ ଚାନେଲ ପକ୍ଷରୁ ସାନ୍ତାଳୀ ସମାଚାର ପ୍ରସାରଣ ଶୁଭାରମ୍ଭ ହୋଇଛି । ଆଜି (ବୁଧବାର) ପୂର୍ବାହ୍ନ ୧୧ଟା ସମୟରେ ଏହା ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରୁ ପ୍ରସାରଣ କରାଯାଇଛି । ସାନ୍ତାଳୀ ଭାଷାରେ ସମାଚାର ଆରମ୍ଭ ହେବା ଜାଣି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଦୂରଦର୍ଶନ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି । ନିକଟରେ ବାଙ୍ଗିରିପୋଷିରେ ବିଭିନ୍ନ ରେଳ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଡିଡି ଓଡ଼ିଆରେ ସାନ୍ତାଳୀ ଭାଷାରେ ସମାଚାର ପ୍ରସାରଣ ସମ୍ପର୍କରେ ସୂଚନା ଦେଇଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଗ୍ରହ କ୍ରମେ ଏହାକୁ ଖୁବ୍ ଶୀଘ୍ର ଆରମ୍ଭ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଆଜି ଭୁବନେଶ୍ଵର ଦୂରଦର୍ଶନ କେନ୍ଦ୍ର ଠାରେ ଆୟୋଜିତ ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପତ୍ର ସୂଚନା କାର୍ଯ୍ୟାଳୟ ଓ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଓଡ଼ିଶା ଶାଖାର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଯୋଗ ଦେଇଥିଲେ । ସେ କହିଥିଲେ, ଦୂରଦର୍ଶନରେ ସାନ୍ତାଳୀ ସମାଚାର ଆରମ୍ଭ ହେବା ଅତ୍ୟନ୍ତ ଆନନ୍ଦର ବିଷୟ । ସବୁ ଭାଷା ମହାନ । ସାନ୍ତାଳୀ ସମାଚାର ସାନ୍ତାଳୀ ସମୁଦାୟର ସ୍ୱପ୍ନ ଓ ଆକାଂକ୍ଷାର ପ୍ରତୀକ । ଦୂରଦର୍ଶନ, ଭୁବନେଶ୍ୱର ପକ୍ଷରୁ ସମାଚାର ପ୍ରସାରଣ ସାନ୍ତାଳୀ ସମୁଦାୟକୁ ନିଜ ଭାଷାରେ ଖବର ଜାଣିବାରେ ବେଶ୍ ସହାୟକ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଦୂରଦର୍ଶନ କେନ୍ଦ୍ରର ମୁଖ୍ୟ ତଥା ଉପ ମହାନିର୍ଦ୍ଦେଶକ (ଯାନ୍ତ୍ରିକ) ନରସିଂହ ଜେଠୀ କହିଥିଲେ, ସାନ୍ତାଳୀ ଭାଷାରେ ସମାଚାର ପ୍ରସାରଣ କରି ଡିଡି ଓଡ଼ିଆ ଚାନେଲ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି । ଏହା ସାନ୍ତାଳୀ ସମୁଦାୟଙ୍କ ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଆଦିବାସୀ ସମାଜିକ-ଶିକ୍ଷା ଏବଂ ସାଂସ୍କୃତିକ ସଂଗଠନ, ଭୁବନେଶ୍ୱରର ସଭାପତି ହେମନ୍ତ କୁମାର ସୋରେନ ଓ ସାନ୍ତାଳୀ ଭାଷା ବିଶେଷଜ୍ଞ ଚୈତନ୍ୟ ମାଝୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ମୁଖ୍ୟ ପ୍ରଦୀପ କୁମାର ବେହେରା, ପିଆଇବି ଓ ସିବିସିର ଭାରତୀୟ ସୂଚନା ସେବାର ଅଧିକାରୀ, ଦୂରଦର୍ଶନ କେନ୍ଦ୍ରର ଅଧିକାରୀ, କର୍ମଚାରୀଙ୍କ ସହ ସାନ୍ତାଳୀ ସମୁଦାୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଆଞ୍ଚଳିକ ସମାଚାର ପ୍ରଭାଗର ମୁଖ୍ୟ ତଥା ଉପନିର୍ଦ୍ଦେଶକ ଡ. ଅଭିଷେକ ମିଶ୍ର ସାନ୍ତାଳୀ ସମାଚାର ଆରମ୍ଭର ପୃଷ୍ଠଭୂମି ସମ୍ପର୍କରେ ଆଲୋକପାତ କରିଥିଲେ । ବାର୍ତ୍ତା ସମ୍ପାଦକ ସୁଦର୍ଶନ ସାହୁ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।