jayashree

ହ୍ୟୁମାନିଟି ଫାଉଣ୍ଡେସନର ବାର୍ଷିକୋତ୍ସବ ଆସନ୍ତା ୧୪ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନର ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଥମ ବାର୍ଷିକୋତ୍ସବ ଆସନ୍ତା ୧୪ ତାରିଖ ଦିନ ସନ୍ଧ୍ୟା ୪ଟାରେ ଭଞ୍ଜ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ ବୋଲି ରାଉରକେଲା କ୍ଲବ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ବିଜୟ ସୁନ୍ଦରାୟ, ସଭାପତି ଦିପ୍ତୀମୟୀ ସୁନ୍ଦରାୟ, ସମ୍ପାଦିକା ଲୀନା ତ୍ରିପାଠୀ, ଉପସଭାପତି କାର୍ତ୍ତିକ ରାଉତ, ବରିଷ୍ଠ ଉପଦେଷ୍ଟା ଗ୍ରେସି ଡେଭିଡ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଅନୁଷ୍ଠାନର ମୂଳଲକ୍ଷ୍ୟ ଓ ଆଭିମୁଖ୍ୟ ହେଉଛି ସମାଜସେବା । ଅନୁଷ୍ଠାନ ବିଭିନ୍ନ ସମୟରେ ନିଃଶୁଳ୍କ ରକ୍ତଦାନ ଶିବିର, ଚକ୍ଷୁ ଚିକିତ୍ସା ଶିବିର, ବୃଦ୍ଧାଶ୍ରମ ଓ ଅନାଥାଳୟରେ ସେବାକାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରିଆସୁଛି । ରକ୍ତ ଦାନ କାର୍ଯ୍ୟକ୍ରମର ମୁଖ୍ୟ ବିଜୟ ସୁନ୍ଦରାୟ ରାଜ୍ୟ ତଥା ରାଜ୍ୟ ବାହାରେ ୩୩୦୦ରୁ ଅଧିକ ରକ୍ତସଂଗ୍ରହ କରି ବେଶ ପ୍ରଶଂସିତ ହୋଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଥିଲା ବେଳେ ଚଳିତ ବାର୍ଷିକୋତ୍ସବରେ ଅନୁଷ୍ଠାନ ତରଫରୁ ଶ୍ରେଷ୍ଠ ରକ୍ତଦାତା, କିଛି ଉଦୀୟମାନ ରକ୍ତଦାତା, ଡାକ୍ତର, ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ, ଭାରତୀୟ ଆର୍ମିର କିଛି ସଦସ୍ୟଙ୍କୁ ସମ୍ମାନିତ କରାଯିବା ସହ କିଛି ଅସହାୟ ବ୍ୟକ୍ତିଙ୍କୁ ହୁଇଲ ଚେୟାର ଓ ଆଶାବାଡି ପ୍ରଦାନ କରାଯିବ । ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯିବ । ତେଣୁ ଏଭଳି କାର୍ଯ୍ୟକ୍ରମରେ ସହରର ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ ଏହାକୁ ଉପଭୋଗ କରିବା ସହ ଉତ୍ସାହିତ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଗରିମା ପତ୍ରି, ଅଞ୍ଜଳି ବିଶ୍ୱାଳ, ରଶ୍ମିତା ମଲ୍ଲିକ, ତାରା କ୍ରିଷ୍ଣା ମୂର୍ତ୍ତି, କମଳିନୀ ମହାପାତ୍ର, ସରସ୍ଵତୀ ପାତ୍ର, ସସ୍ମିତା ପାତ୍ର, ରଶ୍ମିତା ବିଶୋଇ, ଅଶ୍ୱିନୀ କୁମାର କିଶାନ, ରୁନୁ ରାଉତ, ଶୁଭଲକ୍ଷ୍ମୀ ପାତ୍ର, ଶଶିଲତା ହୋତା, ଅନୁପମା ଆଚାର୍ଯ୍ୟ, ଶାଶ୍ୱତୀ ରାୟ, ଚିରଞ୍ଜିବୀ ବୁଡେକ, ରାଜରାଣୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମୋମେଣ୍ଟୋ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସଭାପତି ଶ୍ରୀମତୀ ସୁନ୍ଦରାୟ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ଶେଷରେ ସମ୍ପାଦିକା ଶ୍ରୀମତୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.