କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ସୁରକ୍ଷା ବାହିନୀଙ୍କ ଲଗାତାର ଚଢ଼ାଉ ଫଳରେ କନ୍ଧମାଳ ଜିଲାରେ ମାଓ ଦୁର୍ଗ ଭୁଷୁଡ଼ିବାରେ ଲାଗିଛି । ଚଳିତ ବର୍ଷ ବୌଦ୍ଧ, କନ୍ଧମାଳ ଜିଲାରେ ପୁଲିସ ଗୁଳିରେ ୪ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଜଣେ କ୍ୟାଡର ମାଓବାଦୀ କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି । ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣକ ହେଲେ ବିଜା ମାଡଭୀ ଓରଫ ଟିକେସ । ଛତିଶଗଡ଼ ସୁକମା ଜିଲ୍ଲା କିସ୍ତାରାମ ଥାନା ଅନ୍ତର୍ଗତ ମଙ୍ଗଳଗୁଡା ଗ୍ରାମର ବିଜା ୨୦୧୮ ମସିହାରୁ ମାଓ ସଙ୍ଗଠନର ଦରବା ଡିଭିଜନରେ ସାମିଲ ହୋଇ ପଶ୍ଚିମ ବସ୍ତର, ମାଦ ଏବଂ ଉତ୍ତର ବସ୍ତର ଅଞ୍ଚଳରେ କାର୍ଯ୍ୟ କରି ଆସୁଥିଲେ । ୨୦୨୦ ମସିହାରେ ସେ ଓଡ଼ିଶା କ୍ୟାଡରକୁ ଆସି ଅଷ୍ଟମ କମ୍ପାନୀ (କାଡାମ ଏରିଆ କମିଟି)ର ସଦସ୍ୟ ଭାବେ ନୂଆପଡା ଅଞ୍ଚଳରେ ସକ୍ରିୟ ରହିଥିଲେ । ଏବେ ସେ କନ୍ଧମାଳ ଜିଲ୍ଲାର ରାହୁଲ ଏରିଆ କମିଟିର ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ । ବିଜା ଗତ ଫେବୃଆରୀ ମାସରେ ପୁଲିସ ଗୁଳିରେ ନିହତ ହୋଇଥିବା ଦୁର୍ଦ୍ଦାନ୍ତ ମାଓନେତା ଦାଶୁରଙ୍କ ଅଙ୍ଗ ରକ୍ଷକ ଥିଲେ । ୨୦୨୦ ମସିହା ସିର୍ଲା, ବାଇବାଲି ସମେତ ୧୦ଟି ଗୁଳି ବିନିମୟ ଘଟଣାରେ ସେ ସାମିଲ ଥିଲେ ବୋଲି ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ । ମାଓ ସଙ୍ଗଠନ ପ୍ରତି ଜନ ସମର୍ଥନ କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ ସଙ୍ଗଠନ ଭିତରେ ଉତ୍ପୀଡ଼ନ ଏବଂ ବିକାଶ ବିରୋଧୀ କାର୍ଯ୍ୟକଳାପ ପ୍ରତି ବିତସ୍ପୃହ ହୋଇ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି ବିଜା । ତାଙ୍କଠାରୁ ମିଳିଥିବା ସୂଚନା ଆଧାରରେ ପୁଲିସ ବାଲିଗୁଡ଼ା ଥାନା ଅନ୍ତର୍ଗତ ସରୁଲଇ ନିକଟରେ ଚଢାଉ କରି ଜିଲେଟିନ ଷ୍ଟିକ, ବନ୍ଧୁକ, ଖାଦ୍ୟ ସାମଗ୍ରୀ, ପୋଷାକ ସହିତ ବିପୁଳ ମାଓ ସାମଗ୍ରୀ ଜବତ କରିଛି । ଆଜି କନ୍ଧମାଳ ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ଦକ୍ଷିଣାଞ୍ଚଳ ଡିଆଇଜି ଡଃ. ଷଡ଼ଙ୍ଗୀ ଏବଂ କନ୍ଧମାଳ ଏସପି ହରିଶ ବି.ସିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛି ବିଜା । ତାଙ୍କୁ ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଏ ଅବସରରେ ଡିଆଇଜି ପ୍ରକାଶ କରିଛନ୍ତି ।