ନୂଆପଡ଼ା, (ଅଜିତ ବେହେରା) : ଜିଲ୍ଲାପାଳ ମଧୁସୂଦନ ଦାଶ ପଞ୍ଚାୟତ ଓ ଗ୍ରାମାଞ୍ଚଳ ଗସ୍ତ କରି ଶ୍ରମିକ ମାନଙ୍କୁ ଉତ୍ସାହିତ କରିବା ସହିତ ଗ୍ରାମବାସୀଙ୍କ ସହିତ ସିଧାସଳଖ ମିଶିଛନ୍ତି । ନୂଆପଡ଼ା ବ୍ଲକର ଆଭ୍ୟନ୍ତର ଅଞ୍ଚଳରେ ଥିବା ସିଲଦା ଓ ଡୁମେରପାନି ବିଦ୍ୟାଳୟକୁ ଯାଇ ସେଠାରେ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କୁ ନୂତନ ମତଦାତା ପଞ୍ଜିକରଣ, ଭୋଟର୍ ତାଲିକାରେ ସଂଶୋଧନ, ଫର୍ମ ନଂ ୬,୭,୮ର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ । ଏହାପରେ ସାଲିହା ଗାଁରେ ଚାଲିଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବନ୍ଧ ଖନନ ପ୍ରକଳ୍ପ ପରିଦର୍ଶନ କରି ଶ୍ରମିକ ମାନଙ୍କୁ ଭେଟି ଥିଲେ । ନିଜ ଗ୍ରାମ ତଥା ଅଂଚଳରେ ପର୍ଯ୍ୟାପ୍ତ ସରକାରୀ ଶ୍ରମ ଭିତ୍ତିକ କାମ ମିଳୁଥିବାରୁ ସମସ୍ତେ ଏହାର ସୁଯୋଗ ନେଇ କାମ କରିବାକୁ ଏବଂ ପ୍ରବାସୀ ଶ୍ରମିକ ହିସାବରେ ବାହାର ରାଜ୍ୟକୁ ନଯିବା ପାଇଁ କହିଥିଲେ । ସେମାନଙ୍କ ଉନ୍ନତି ଓ ଜୀବନ ଜୀବିକା ପାଇଁ ସରକାରଙ୍କ ଥିବା ବିଭିନ୍ନ ଯୋଜନା ସମ୍ୱନ୍ଧରେ ବୁଝାଇଥିଲେ । ଏହାପରେ ସାଲିହା ଗାଁକୁ ଯାଇ ସେଠାରେ ସଭା କରି ଗ୍ରାମବାସୀ ମାନଙ୍କ ସୁଖ ଦୁଃଖ କଥା ପଚାରି ବୁଝିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ପିଇବା ପାଣି, ବିଦ୍ୟୁତ୍, କର୍ମ ଯୋଗାଣ, ସୁଭଦ୍ରା ଯୋଜନା, ପ୍ରଧାମନ୍ତ୍ରୀ ଆବାସ ଯୋଜନା ବିଷୟରେ ସିଧାସଳଖ ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ । ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ଘର ସବୁ ଶୀଘ୍ର ନିର୍ମାଣ କରିବା ପାଇଁ କହିଥିଲେ । ଜିଲ୍ଲାପାଳଙ୍କ ଆତ୍ମୀୟତାରେ ଗ୍ରାମବାସୀ ତଥା ଶ୍ରମିକ ମାନେ ଅତ୍ୟନ୍ତ ଖୁସୀ ଅନୁଭବ କରିଥିଲେ । ଏହି ଗସ୍ତ ସମୟରେ ନୂଆପଡା ବିଡିଓ ରୋହିତ ଭୋଇ ଏବଂ ବ୍ଲକର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଛୁଟି ଦିନରେ ମଧ୍ୟ ସରକାରୀ ଗସ୍ତ କରି ଗ୍ରାମବାସୀଙ୍କ ସହିତ ମିଶିବା ଓ ସେମାନଙ୍କ ସୁବିଧା ଅସୁବିଧା ବୁଝି ତାହାର ତୁରନ୍ତ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।