jayashree

ଓଡ଼ିଶା ପର୍ବ ୨୦୨୪ରେ ରାଷ୍ଟ୍ରପତିଙ୍କ ଅଂଶଗ୍ରହଣ

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (୨୨ ନଭେମ୍ବର ୨୦୨୪)ରେ ନୂଆଦିଲ୍ଲୀଠାରେ ଆୟୋଜିତ ଓଡ଼ିଶା ପର୍ବ ୨୦୨୪ରେ ଅଂଶଗ୍ରହଣ କରିଛନ୍ତି । କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଓଡ଼ିଶାର କଳା, ସାହିତ୍ୟ, ନୃତ୍ୟ ଓ ବ୍ୟଞ୍ଜନର ସମୃଦ୍ଧ ପରମ୍ପରା ସମ୍ପର୍କରେ ଲୋକମାନେ ଅବଗତ କରାଇବା କ୍ଷେତ୍ରରେ ଓଡ଼ିଶା ପର୍ବ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ନୂଆଦିଲ୍ଲୀରେ ଗୋଟିଏ ଦଶନ୍ଧି ଧରି ଏହି କାର୍ଯ୍ୟକ୍ରମ ଆୟୋଜନ କରିଆସୁଥିବା ସବୁ ଅଂଶୀଦାରଙ୍କୁ ସେ ପ୍ରଶଂସା କରିଥିଲେ । ରାଷ୍ଟ୍ରପତି କହିଥିଲେ, କଳିଙ୍ଗ ଯୁଦ୍ଧ ‘ଚଣ୍ଡାଶୋକ’ଙ୍କୁ ଧର୍ମାଶୋକରେ ପରିଣତ କରି ଦେଇଥିଲା । ପ୍ରଗତି ପାଇଁ ଶାନ୍ତି ଆବଶ୍ୟକ ବୋଲି ଏହି ଯୁଦ୍ଧ ଆମକୁ ଶିକ୍ଷା ଦେଇଥାଏ । ସାମ୍ପ୍ରତିକ ବିଶ୍ୱର କିଛି ଭାଗ ଆଜି ଯୁଦ୍ଧର ଘନଘଟା ଦ୍ୱାରା ଆଚ୍ଛାଦିତ । ଓଡ଼ିଶା ଇତିହାସର କଳିଙ୍ଗ ଯୁଦ୍ଧ ସାରା ବିଶ୍ୱକୁ ଶାନ୍ତିର ମାର୍ଗ ଦେଖାଇପାରିବ । ରାଷ୍ଟ୍ରପତି କହିଥିଲେ ଯେ ଓଡ଼ିଶା ସଂସ୍କୃତିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ସହିଷ୍ଣୁତା । ସେ ନାଗରିକମାନଙ୍କୁ ସ୍ନେହ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନଯାପନ କରିବା ସହିତ ନିଜର ଶ୍ରେଷ୍ଠ ସାମର୍ଥ୍ୟ ମୁତାବକ ଭାରତ ଏବଂ ଓଡ଼ିଶା ପାଇଁ କାମ କରିବା ଲାଗି ଆହ୍ୱାନ ଦେଇଥିଲେ ।

Leave A Reply

Your email address will not be published.