ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଲଖମରା ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଓ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪ – ୨୫ ଅନୁଷ୍ଠିତ ହୋଇଯାଇଛି । ଏହି ବୈଜ୍ଞାନିକ ପ୍ରଦର୍ଶନୀରେ ପଦ୍ମପୁର ବିଧାୟକ ଶ୍ରୀମତୀ ବର୍ଷା ସିଂ ବରିହା ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦର୍ଶନୀର ଉଦ୍ଘାଟନ କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ଶିକ୍ଷକ ନିରାକାର ପ୍ରଧାନ ସଭା ପରିଚାଳନା ଓ ଧଳେନ୍ଦ୍ର କୁମାର ବାରିକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉଦେଶ୍ୟ ଜ୍ଞାପନ ଓ ବିବରଣୀ ପଠନ କରିଥିଲେ । ସମ୍ମାନିତ ଅତିଥିଭାବେ ପଦ୍ମପୁର ବିଇଓ ଲୋକନାଥ ଭୋଇ, ଝାରବନ୍ଧ ବିଇଓ ଶୁଭମପତି, ଅବସରପ୍ରାପ୍ତ ବିଇଓ ଜନକଲାଲ ମେହେର, ଶିକ୍ଷାବିଦ ମଧୁସୁଦନ ଦାସ, ବରଗଡ ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ ଶିକ୍ଷୟିତ୍ରୀ ସୁଶ୍ରୀ ସୁସ୍ମିତା ସାହୁ, ଲଖମରା ସରପଞ୍ଚ ସୁବାଷ ଚନ୍ଦ୍ର ଝଗରା, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ସୀତାନାଥ ସାହୁ, ବିଦ୍ୟାଳୟ ପରିଚାଳନା ସଭାପତି ତ୍ରିବିକ୍ରମ ନାଏକ, ସମିତି ସଭ୍ୟା ଶିବାନୀ ଲୁହାର, ପ୍ରଧାନ ଶିକ୍ଷୟତ୍ରୀ କଳ୍ପନା ସାହୁ, ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ପୁତ୍ର ନାରାୟଣ ବେହେରା ପ୍ରମୁଖ ଯୋଗଦାନ କରି ବୈଜ୍ଞାନିକ ମନୋବୃତ୍ତିର ବିକାଶ ପାଇଁ ବିଜ୍ଞାନ ମେଳା ଓ ବାଳ ବୈଜ୍ଞାନିକ ପ୍ରଦର୍ଶନୀର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀମାନେ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରି ଅତିଥିଙ୍କୁ ସ୍ୱାଗତ କରିବା ପରେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଝାରବନ୍ଧ ଓ ପଦ୍ମପୁର ବ୍ଲକରୁ ୧୦ ଜଣ ବିଜ୍ଞାନ ଶିକ୍ଷକ ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ସମୁଦାୟ ୧୬୫ଟି ବିଜ୍ଞାନ, ଗଣିତ ଓ ପରିବେଶ ପ୍ରକଳ୍ପ ଶିଶୁ ବୈଜ୍ଞାନିକ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ଶିକ୍ଷକ ବ୍ରଜକିଶୋର ଭୀଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉଦ୍ଯାପନୀ ଉତ୍ସବରେ ରାଜବୋଡା ସମ୍ବର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଲୋକନାଥ ଭୋଇ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ବାସନ୍ତୀ ବାଲାମ, ମୋ ସ୍କୁଲ ସଭାପତି ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଲଖମରାର ରମାକାନ୍ତ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ବିଭିନ୍ନ ବିଷୟରେ ପ୍ରଥମ ୭ଟି ସ୍ଥାନରେ ସ୍ଥାନିତ ହୋଇ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ସହ ପୁରସ୍କୃତ କରିଥିଲେ ଓ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଲଖମରା ଗ୍ରାମବାସୀଙ୍କ ତରଫରୁ ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବୈଷ୍ଣବ ପଣ୍ଡାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବୈଷ୍ଣବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଲଖମରା ଗ୍ରାମବାସୀଙ୍କ ସହଯୋଗ ଦ୍ୱାରା କାର୍ଯ୍ୟକ୍ରମଟି ଅତ୍ୟନ୍ତ ସୁବ୍ୟବସ୍ଥିତ ଢଙ୍ଗରେ ସମାପନ ହୋଇଥିଲା ।