ରାଷ୍ଟ୍ରପତି ରାମ ମନ୍ଦିର ନିର୍ମାଣ ପାଇଁ ୫ ଲକ୍ଷ ୧୦୧ ଟଙ୍କା ଦାନ କଲେ : ଆଜିଠାରୁ ପାଣ୍ଠି ଉତ୍ସର୍ଗ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ : ବିଶ୍ୱ ହିନ୍ଦୁ ପରିଷଦ ଆଜିଠାରୁ ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ଉତ୍ସର୍ଗ ଅଭିଯାନ ଆରମ୍ଭ କରିଛି ଏବଂ ପ୍ରାରମ୍ଭରେ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମନ୍ଦିର ନିର୍ମାଣରେ ଅରଭଦାନ ପାଇଁ ୫ ଲକ୍ଷ ୧୦୧ ଟଙ୍କାର ଚେକ୍ ଦେଇଛନ୍ତି । ଶ୍ରୀରାମ ଜ‌ନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟ, ବିଶ୍ୱ ହିନ୍ଦୁ ପରିଷଦ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବାକ ସଂଗଠନର ଏକ ପ୍ରତିନିଧି ଦଳ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବାକୁ ଯାଇଥିଲେ ଏବଂ ସେହି ବୈଠକରେ ରାଷ୍ଟ୍ରପତି ରାମ ମନ୍ଦିର ନିର୍ମାଣ ପାଇଁ ନିଜ ପକ୍ଷରୁ ଅନୁଦାନ ଦେଇଛନ୍ତି ।

କିଛି ସମୟ ପୂର୍ବରୁ ଶ୍ରୀରାମ ଜ‌ନ୍ମଭୂମି ତୀର୍ଥ କ୍ଷେତ୍ରର କୋଷାଧ୍ୟକ୍ଷ ଗୋବିନ୍ଦ ଗିରି ଦେବ ମହାରାଜ, ଭିଏଚପି କାର୍ୟ୍ୟନିର୍ବାହୀ ଅଧ୍ୟକ୍ଷ ଆଲୋକ କୁମାର, ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଏବଂ ଆରଏସଏସ ସାଂଘ ଚାଳକ କୁଲଭୂଷଣ ଅହୁଜା ରାଷ୍ଟ୍ରପତି କୋବିନ୍ଦଙ୍କୁ ଭେଟିଥିଲେ । ରାଷ୍ଟ୍ରପତି ସମସ୍ତଙ୍କୁ ସ୍ୱାଗତ କରି ମନ୍ଦିର ନିର୍ମାଣ ପାଇଁ କାମନା କରିଥିଲେ । ଏହା ସହିତ ବିଶ୍ୱ ହିନ୍ଦୁ ପରିଷଦ କର୍ମୀମାନେ ଘରକୁ ଘର ଯାଇ ଦାନ ଗ୍ରହଣ କରିବେ ।

ଆଜିଠାରୁ ସାରା ଦେଶରେ ପାଣ୍ଠି ଉତ୍ସର୍ଗ ଅଭିଯାନ ଆରମ୍ଭ ହୋଇଛି ଏବଂ ଏହି ଅଭିଯାନ ଫେବୃଆରୀ ୨୭ ପର୍ୟ୍ୟନ୍ତ ଚାଲିବ । ଏହି ଅଭିଯାନ ସମୟରେ ଦେଶର ୪ ଲକ୍ଷ ଗ୍ରାମରେ ପହଞ୍ଚିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପାଣ୍ଠି ସମର୍ପଣ ଅଭିଯାନ ପାଇଁ ସାରା ଦେଶରେ ଦ୍ୱାରକୁ ଦ୍ୱାର ଅଭିଯାନ ଚାଲିଛି ।

Leave A Reply

Your email address will not be published.