jayashree

ବେଲଗୁଣ୍ଠା ଏନ୍‌.ଏ.ସି. ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଏନ୍‌.ଏ.ସି.ର ଉପାଧ୍ୟକ୍ଷା ଟି. ବବିତା କୁମାରୀଙ୍କ ବିରୋଧରେ ଉକ୍ତ ଏନ୍‌.ଏ.ସି.ର ୧୧ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଭେଟି ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ଏମାନେ ଲିଖିତ ଭାବେ ଅନୁରୋଧ କରିଛନ୍ତି । ଅନାସ୍ଥା ପ୍ରସ୍ତାବ ବୈଠକର ସ୍ଥାନ ଓ ତାରିଖ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି । ବେଲଗୁଣ୍ଠା ଏନ୍‌.ଏ.ସି. ୧୩ଟି ୱାର୍ଡକୁ ନେଇ ଗଠିତ । ମନୋମୁଖୀ କାର୍ଯ୍ୟ ବିଭିନ୍ନ ଜନକଲ୍ୟାଣ କାମଗୁଡିକୁ ଜୋର୍‌ ଜବରଦସ୍ତ ବନ୍ଦ ରଖିବା, କେତେକ ୱାର୍ଡରେ ରାସ୍ତା ଓ ପୋଖରୀ କାମ ଅଧାପନ୍ତରିଆ ପଡ଼ିରହିବା ଆଦି ଅଭିଯୋଗ ଆଣି ଉପାଧ୍ୟକ୍ଷାଙ୍କ ବିରୋଧରେ ଉକ୍ତ କାଉନ୍‌ସିଲର୍‌ମାନେ ଏହିପରି ଲେଖି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ସୂଚନାଯୋଗ୍ୟ ବେଲଗୁଣ୍ଠା ଗ୍ରାମର ମା’ ବ୍ରାହ୍ମଣୀଦେବୀଙ୍କ କଲ୍ୟାଣ ମଣ୍ଡପଠାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଦୁଇ ତୃତୀୟାଂଶରୁ ଊର୍ଦ୍ଧ୍ୱ କାଉନସିଲରଙ୍କ ଉପସ୍ଥିିତିରେ ଏନ୍‌ଏସି ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ସର୍ବସମ୍ମତି ପ୍ରସ୍ତାବ ଗୃହୀତ ହୋଇଥିଲା । ଏହାର ନକଲ ଦରଖାସ୍ତ ସହ ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ବେଲଗୁଣ୍ଠା ନଗର ବିଜେଡି ସଭାପତି ରବୀନ୍ଦ୍ର ନାଥ ମହାପାତ୍ର ଓ ପୂର୍ବତନ ବିଧାୟକ ପୂର୍ଣଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀଙ୍କ ସହ ଏକ ନମ୍ବର ୱାର୍ଡ କାଉନସିଲର ଏସ୍‌. ଭାସ୍କର ପାତ୍ର, ୨ ନମ୍ବର ୱାର୍ଡ କାଉନସିଲର ଦିବ୍ୟରଞ୍ଜନ ଦାସ, ୩ ନମ୍ବର ୱାର୍ଡ ଲିଜା ବେହେରା, ୪ ନମ୍ବର ୱାର୍ଡ କାଉନସିଲର ପ୍ରିୟମ୍ବଦା ସାମଲ, ୬ ନମ୍ବର ୱାର୍ଡ କାଉନସିଲର ପ୍ରଦୀପ ସେଠୀ, ୯ ନମ୍ବର ୱାର୍ଡ କାଉନସିଲର ଦିଲ୍ଲୀପ ଅଚାରୀ, ୧୦ ନମ୍ବର ୱାର୍ଡ କାଉନସିଲର ସୁଜ୍ୟୋତି ସୁବୁଦ୍ଧି, ୧୧ ନମ୍ବର ୱାର୍ଡ କାଉନସିଲର ସି.ଏଚ ସଂଗୀତା ପାତ୍ର,୧୨ ନମ୍ବର ୱାର୍ଡ କାଉନସିଲର ବିଶ୍ଵନାଥ ଦଳେଇ ଓ ୧୩ ନମ୍ବର ୱାର୍ଡ କାଉନସିଲର ପ୍ରତିମା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ୫ ନମ୍ବର ୱାର୍ଡର କାଉନସିଲର କାହ୍ନୁ ଚରଣ ସାହୁ ଅନାସ୍ଥା ପେପରରେ ଦସ୍ତଗତ କରିଥିବା ବେଳେ ବ୍ୟକ୍ତିଗତ କାରଣ ପାଇଁ ଉପସ୍ଥିତ ହୋଇ ପାରିନଥିଲେ । ଗତ ନିର୍ବାଚନରେ ବେଲଗୁଣ୍ଠା ଏନ୍.ଏ.ସିରେ ନଗରପାଳ ଆସନ ସହିତ ସହ ୧୩ରୁ ୧୩ ୱାର୍ଡ ବିଜେଡି ଦଖଲ କରିଥିବା ବେଳେ ୭ ନମ୍ବର ୱାର୍ଡ କାଉନସିଲର ଟି. ବବିତା କୁମାରୀ ଉପାଧ୍ୟାକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ପ୍ରକାଶ ଥାଉ କି, ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳରେ କଣଠେସା ହୋଇ ରହିଥିବା, ଦଳ ଗୁରୁତ୍ଵ ଦେଉ ନଥିବା ଅଭିଯୋଗ କରି ଟି. ବବିତା କୁମାରୀ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କ ଉପସ୍ଥିତିରେ ବିଜେଡି ଛାଡି ନିଜ ସମର୍ଥକଙ୍କ ସହିତ ବିଜେପିରେ ମିଶିଥିଲେ । ଏହାକୁ ନେଇ ବେଲଗୁଣ୍ଠା ସହରରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଥିବାବେଳେ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।

Leave A Reply

Your email address will not be published.