jayashree

ଭାରତ ଅଟା ଏବଂ ଭାରତ ଚାଉଳର ଦ୍ୱିତୀୟ ପର୍ଯ୍ୟାୟ ଖୁଚୁରା ବିକ୍ରିର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

  • ଦ୍ୱିତୀୟ ପର୍ଯ୍ୟାୟର ପ୍ରାରମ୍ଭିକ ପର୍ଯ୍ୟାୟରେ ଖୁଚୁରା ବିକ୍ରି ପାଇଁ ୩.୬୯ ଲକ୍ଷ ମେଟ୍ରିକ୍ ଟନ୍ ଗହମ ଓ ୨.୯୧ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉପଲବ୍ଧ ହୋଇଛି
  • ଉପଭୋକ୍ତାଙ୍କୁ ରିହାତି ମୂଲ୍ୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଉପଲବ୍ଧତା ସୁନିଶ୍ଚିତ କରିବା ଦିଗରେ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଏହି ପଦକ୍ଷେପ ପ୍ରମାଣିତ କରୁଛି : ଶ୍ରୀ ଯୋଶୀ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ରାଷ୍ଟ୍ରମନ୍ତ୍ରୀ ବିଏଲ୍‌ ବର୍ମାଙ୍କ ଉପସ୍ଥିତିରେ ଏନ୍‌ସିସିଏଫ, ନାଫେଡ ଏବଂ କେନ୍ଦ୍ରୀୟ ଭଣ୍ଡାରର ମୋବାଇଲ ଭ୍ୟାନକୁ ପତାକା ଦେଖାଇ ଭାରତ ଅଟା ଏବଂ ଭାରତ ଚାଉଳର ଖୁଚୁରା ବିକ୍ରିର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ଗ୍ରାହକଙ୍କୁ ଅଟା କିଲୋ ପିଛା ସର୍ବାଧିକ ୩୦ ଟଙ୍କା ଏବଂ ଭାରତ ଚାଉଳ କିଲୋ ପିଛା ସର୍ବାଧିକ ୩୪ ଟଙ୍କାରେ ଉପଲବ୍ଧ କରାଯାଉଛି । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଯୋଶୀ କହିଥିଲେ ଯେ, ଉପଭୋକ୍ତାଙ୍କୁ ରିହାତି ମୂଲ୍ୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଇବା ଦିଗରେ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଏହି ପଦକ୍ଷେପ ପ୍ରମାଣିତ କରୁଛି । ଭାରତ ବ୍ରାଣ୍ଡ ଅଧୀନରେ ଚାଉଳ, ଅଟା ଓ ଡାଲି ଭଳି ମୌଳିକ ଖାଦ୍ୟ ସାମଗ୍ରୀର ଖୁଚୁରା ବିକ୍ରି ମାଧ୍ୟମରେ ସିଧାସଳଖ ସ୍ଥିର ମୂଲ୍ୟ ବ୍ୟବସ୍ଥା ବଜାୟ ରଖିବାରେ ସହାୟକ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ପର୍ଯ୍ୟାୟରେ ଖୁଚୁରା ବିକ୍ରି ପାଇଁ ୩.୬୯ ଲକ୍ଷ ମେଟ୍ରିକ ଟନ୍ ଗହମ ଓ ୨.୯୧ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉପଲବ୍ଧ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୫.୨୦ ଲକ୍ଷ ମେଟ୍ରିକ ଟନ୍ ଭାରତ ଅଟା ଓ ୧୪.୫୮ ଲକ୍ଷ ମେଟ୍ରିକ ଟନ୍ ଭାରତ ଚାଉଳ ସାଧାରଣ ଉପଭୋକ୍ତାଙ୍କୁ ରିହାତି ଦରରେ ଉପଲବ୍ଧ କରାଯାଇଥିଲା । କେନ୍ଦ୍ରୀୟ ଭଣ୍ଡାର, ନାଫେଡ୍ ଏବଂ ଏନ୍‌ସିସିଏଫ ଏବଂ ଇ-କମର୍ସ/ବିଗ୍ ଚେନ୍ ରିଟେଲରଙ୍କ ଷ୍ଟୋର ଏବଂ ମୋବାଇଲ ଭ୍ୟାନ୍‌ରେ ଭାରତ ଅଟା ଏବଂ ଭାରତ ଚାଉଳ ଉପଲବ୍ଧ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ‘ଭାରତ’ ବ୍ରାଣ୍ଡ୍ ଅଟା ଏବଂ ଚାଉଳ ୫ କେଜି ଓ ୧୦ କେଜି ବ୍ୟାଗରେ ବିକ୍ରି ହେବ । ପଞ୍ଜାବରେ ଧାନ କ୍ରୟ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପଞ୍ଜାବରେ ୧୮୪ ଲକ୍ଷ ମେଟ୍ରିକ ଟନ୍ ଧାର୍ଯ୍ୟ କ୍ରୟ ଆକଳନ ହାସଲ କରିବା ଏବଂ କୃଷକମାନଙ୍କ ଦ୍ୱାରା ମଣ୍ଡିକୁ ଅଣାଯାଇଥିବା ପ୍ରତ୍ୟେକ ଶସ୍ୟ କିଣିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ୨୦୨୪ ନଭେମ୍ବର ୪ତାରିଖରେ ପଞ୍ଜାବ ମଣ୍ଡିରେ ସମୁଦାୟ ୧୦୪.୬୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ପହଞ୍ଚିଥିବା ବେଳେ ସେଥିରୁ ୯୮.୪୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ ରାଜ୍ୟ ଏଜେନ୍ସି ଓ ଏଫସିଆଇ କ୍ରୟ କରିଛନ୍ତି। ଗ୍ରେଡ୍ ‘ଏ’ ଧାନ ପାଇଁ ଭାରତ ସରକାର ସ୍ଥିର କରିଥିବା ଏମ୍ଏସ୍‌ପି ୨୩୨୦/- ଟଙ୍କାରେ ଧାନ କିଣାଯାଉଛି । ଚଳିତ କେଏମ୍ଏସ୍ ୨୦୨୪-୨୫ରେ ଆଜି ସୁଦ୍ଧା ଭାରତ ସରକାର କିଣିଥିବା ମୋଟ ଧାନର ମୂଲ୍ୟ ୨୦,୫୫୭ କୋଟି ଟଙ୍କା । ଏହାଦ୍ୱାରା ୫.୩୮ ଲକ୍ଷ କୃଷକ ଉପକୃତ ହୋଇଛନ୍ତି ଏବଂ ଏମ୍‌ଏସ୍‌ପି ରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି ।

Leave A Reply

Your email address will not be published.