ଇବ୍‌ ସେତୁ ନିର୍ମାଣ କାର୍ଯ୍ୟ : ଡ଼ିସେମ୍ବର ଶେଷ ସୁଦ୍ଧା କାର୍ଯ୍ୟାରମ୍ଭ, ସାଂସଦ ପ୍ରଦୀପ ପୁରୋହିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରଦୀପ ପୁରୋହିତ ଆଜି ଜାତୀୟ ରାଜପଥ କର୍ତ୍ତୃପକ୍ଷର ଓଡିଶା ଆଞ୍ଚଳିକ ଅଧିକାରୀ ବୀରେନ୍ଦ୍ର ସିଂଙ୍କ ସହିତ କେତେଗୁଡିଏ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଓ ସଫଳତାର ସହ ସମ୍ପୂର୍ଣ୍ଣ କରିବା ସମ୍ପର୍କରେ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି । ସର୍ବପ୍ରଥମେ ବ୍ରଜରାଜନଗରର ଇବ୍ ନଦୀ ଉପରେ ଏକ ୩ ଲେନ୍ ବିଶିଷ୍ଟ ୪୪୮ ମିଟର ଲମ୍ବର ସେତୁ ୩୩.୬ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରିବା ପାଇଁ ଟେଣ୍ଡର ହୋଇ ସାରିଛି । ଏହି ସେତୁ ନିର୍ମାଣ କାର୍ଯ୍ୟ ଡ଼ିସେମ୍ବର ମାସ ଶେଷ ସୁଦ୍ଧା ଆରମ୍ଭ ହେବ । ସେହିପରି ଝାରସୁଗୁଡାର ଲଖନପୁର ଓ କନକତୁରା ଦେଇ ଲମ୍ବିଥିବା ଜାତୀୟ ରାଜପଥ ୪୯କୁ ୪ ଲେନ୍ ବିଶିଷ୍ଟ କରାଯିବ । ସେଥିପାଇଁ ଡିପିଆର୍ ପ୍ରସ୍ତୁତ ହୋଇ ଏବେ ସ୍ୱୀକୃତି ପାଇଁ ପଠାଯାଇଛି । ଜାନୁଆରୀ ପ୍ରଥମ ସପ୍ତାହରେ ଏହାର ଟେଣ୍ଡର ହେବ । ଗାନ୍ଧୀଛକ ଠାରେ ଉକ୍ତ ସଡ଼କ ଉପରେ ଏକ ଫ୍ଲାଇଓଭର ମଧ୍ୟ ନିର୍ମାଣ କରାଯିବ । ଦ୍ୱିତୀୟ ଇବ୍ ସେତୁ ୩ ଲେନ୍ ବିଶିଷ୍ଟ ନିର୍ମାଣ ପାଇଁ ଡିପିଆର୍ ପ୍ରସ୍ତୁତ କରାଯାଇ ସ୍ୱୀକୃତି ପାଇଁ ପଠାଯାଇଛି । ସେହିପରି ବରଗଡ଼ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ଉପରେ ବିକାଶ ହସ୍ପିଟାଲ ସମ୍ମୁଖରେ ଏକ ଫ୍ଲାଇଓଭର ନିର୍ମାଣ ହେବା ପାଇଁ ଟେଣ୍ଡର ହୋଇଯାଇଛି । ଏଥିସହ ଗୁଳିପାଳି ଓ ଗୋଡ଼ବଘାରେ ଫ୍ଲାଇଓଭର ନିର୍ମାଣ ପାଇଁ ମଧ୍ୟ ଡିପିଆର୍ ପ୍ରସ୍ତୁତ କରାଯାଇଛି । ଏଥିସହ ସର୍ଭିସ ରୋଡ୍ ନିର୍ମାଣ ଏବଂ ଆଲୋକୀକରଣ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଫଳପ୍ରଦ ଆଲୋଚନା ହୋଇଛି ।

Leave A Reply

Your email address will not be published.