ସୁବର୍ଣ୍ଣପୁର ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଜୀବନ୍ତ କରି ଆଙ୍କିଛନ୍ତି ଚିତ୍ରକଳା ଶିଳ୍ପୀ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା କଳା, ସଂସ୍କୃତି ଓ ପର୍ଯ୍ୟଟନସ୍ଥଳୀ ଭାବେ ବେଶ ପରିଗଣିତ । ଏହି ଜିଲ୍ଲା ସବୁବେଳେ କଳା ଓ କଳାକାରଙ୍କୁ ସୃଷ୍ଟି କରିବା ସହ ନିଜ ସୌନ୍ଦର୍ଯ୍ୟ ଓ କଳା ମାଧ୍ୟମରେ ଅନେକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ତେବେ ଚଳିତ ଦିନରେ ଚିତ୍ରକଳା ମାଧ୍ୟମରେ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀର ଚିତ୍ର ଆଙ୍କି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ପ୍ରୟାସ କରିଛି ଚିତ୍ରକଳା ଅନୁଷ୍ଠାନ । ଏହି ଚିତ୍ରକଳାକୁ ନେଇ ସୁବର୍ଣ୍ଣପୁରରୁ ଦେଖିବା ଏଇ ସ୍ୱତନ୍ତ୍ର ରିପୋର୍ଟ । ସୁବର୍ଣ୍ଣପୁର ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀକୁ ଯିଏ ବୁଲିବାକୁ ଯାଇଛି, ସିଏ ନିଶ୍ଚିତ ବିଭୋର ହୋଇ ଉଠିଛି । ଏଠାକାର ସୌନ୍ଦର୍ଯ୍ୟକୁ ଚିତ୍ରକଳା ମାଧ୍ୟମରେ ଅଙ୍କିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ଓ ଜିଲ୍ଲା ବାହାରରୁ ଆସିଥିବା ୪୫ ଜଣ ଚିତ୍ରକାର । ଡ୍ରଇଂ କାଗଜ, ରଙ୍ଗ ଓ ତୁଳୀରେ ଜୀବନ୍ତ ଭଳି ଚିତ୍ର ଆଙ୍କି ସୁବର୍ଣ୍ଣପୁରର ମନ୍ଦିର, ପର୍ଯ୍ୟଟନ ସ୍ଥଳୀ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟ କରଣକୁ ନିଜ କଳାରେ ସ୍ଥାନ ଦେଇଛନ୍ତି । ତେବେ ଏହି ଚିତ୍ର ମାଧ୍ୟମରେ ଜିଲ୍ଲାର ପ୍ରଚାର ପ୍ରସାର କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ମୂଳ ଲକ୍ଷ୍ୟ ବୋଲି ଚିତ୍ରକାର କହିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର ମହାନଦୀ, ତେଲ ନଦୀ ଓ କର୍ପୁର ନଦୀ ତ୍ରିବେଣୀ ସଙ୍ଗମ ଠାରେ ରାଜ୍ୟର ବଛା ବଛା ୪୦ଜଣ ଚିତ୍ରଶିଳ୍ପୀ ଆସି ଜିଲ୍ଲାର ବିଭିନ୍ନ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନିଜର ତୂଳୀ ମାଧ୍ୟମରେ ଜୀବନ୍ତ କରୁଛନ୍ତି । ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ଓ ମହାନଦୀ କୂଳରେ ଥିବା ରାମେଶ୍ୱର ତ୍ରିବେଣୀ ସଙ୍ଗମର ଚିତ୍ର ଦେଖଣାହାରିଙ୍କୁ ବେଶ ଆକୃଷ୍ଟ କରିଥିଲା । ସମସ୍ତ କଳାକାରଙ୍କ ତିଆରି ଚିତ୍ର ବେଶ ସୁନ୍ଦର ହୋଇଥିବା ବେଳେ ସମସ୍ତ ଚିତ୍ର କିଛି ନା କିଛି ସଚେତନତା ବାର୍ତ୍ତା ଦେଉଛି ନିଶ୍ଚିତ । ଏହା ଦ୍ୱାରା ଆଗାମୀ ଦିନରେ ଜିଲ୍ଲାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ସହିତ ନୂତନ ଚିତ୍ରଶିଳ୍ପୀ ବାହାରିବେ ବୋଲି ଆୟୋଜକ କହିଛନ୍ତି । ସୁବର୍ଣ୍ଣପୁରର ବିଭିନ୍ନ ସୁନେଲି ଚିତ୍ର ଆଙ୍କୁଥିବା ଚିତ୍ରଶିଳ୍ପୀ ନିହାତି ପ୍ରଶଂସାର ପାତ୍ର ହୋଇଥିବା ବେଳେ ଚିତ୍ରକଳା ମାଧ୍ୟମରେ ଏହି ସୁନ୍ଦର ପ୍ରୟାସକୁ ଜିଲ୍ଲାବାସୀ ବେଶ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.