ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଓଡିଶା ରାଜ୍ୟ ଆଶାକର୍ମୀ ସଂଘର ଦୀର୍ଘଦିନର ଦାବି ପୁରଣ ହୋଇନଥିବା ଯୋଗୁଁ କେନ୍ଦ୍ର ଏବଂ ରାଜ୍ୟ ଆଶାକର୍ମୀ ସଂଘର ନିଷ୍ପତ୍ତି କ୍ରମେ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଆଜି ରାୟଗଡ଼ା ଗାନ୍ଧୀପାର୍କ ଠାରେ ଜିଲ୍ଲାର ସମସ୍ତ ଆଶାକର୍ମୀ ଏକତ୍ରିତ ହୋଇ ସଂଘର ଜିଲ୍ଲା ସଭାନେତ୍ରୀ ତମାଳ ସାହୁକାର, ଜିଲ୍ଲା ସମ୍ପାଦିକା ଗୀତାଞ୍ଜଳି ହିଆଲ ଏବଂ କୋଷାଧ୍ୟକ୍ଷ ପୁଷ୍ପାଞ୍ଜଳି ବେହୁରାଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୭ ଦଫା ଦାବିପତ୍ର ଡେପୁଟି କଲେକ୍ଟର ଲଳିତ ମଣ୍ଡଳଙ୍କୁ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଯୋଗେଶ୍ଵର ଦାସ, ସମ୍ମାନିତ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ, ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ରାଜ୍ୟ ଉପ ସଭାନେତ୍ରୀ ମମତା ବିଶ୍ଵାଳ, ଭାରତୀୟ ମଜଦୂର ସଂଘର ଜିଲ୍ଲା ସଭାପତି ମୋହନ ରାଓ ମାଝୀ, ଜିଲ୍ଲା ସହ ସମ୍ପାଦିକା ନେହା ସିଂ, ଅରୁଣ କୁମାର ଲେଙ୍କା, ଆନନ୍ଦ ରାଓ, ସୁନ୍ଦର ରାଓ କାଡ୍ରାକା, ଆନନ୍ଦ ରାଉଳଙ୍କ ସମେତ ଜିଲ୍ଲାର ୧୧ଟି ବ୍ଲକରେ ୨ ହଜାରରୁ ଉର୍ଦ୍ଧ୍ଵ ଆଶାକର୍ମୀ ଉପସ୍ଥିତ ରହିଥିଲେ । ଉକ୍ତ ୭ ଦଫା ଦାବି ମଧ୍ୟରେ ଜାତୀୟ ସ୍ଵାସ୍ଥ୍ୟ ମିଶନକୁ ସ୍ଥାୟୀ କରାଯାଉ, ଆଶାକର୍ମୀ ମାନଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରାଯାଉ, ଯେଉଁ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ଦିଆଯାଇନାହିଁ ସେମାନଙ୍କୁ ମାସିକ ୧୮ ହଜାର ଟଙ୍କା ପ୍ରଦାନ କରାଯାଉ, ଆଶାକର୍ମୀ ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉ, ଆଶାକର୍ମୀ ମାନଙ୍କୁ ଅବସରକାଳୀନ ସମୟରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବା ସହ ମାସିକ ୫ ହଜାର ଟଙ୍କା ପେନ୍‌ସନ୍‌ ଦିଆଯାଉ, ସବୁ ପିଏଚ୍‌ସି, ସିଏଚ୍‌ସିରେ ଆଶା ଗୃହ ନିର୍ମାଣ କରାଯାଉ, ଆଶାକର୍ମୀ ମାନଙ୍କୁ ଯାତାୟାତ ପାଇଁ ବିନା ସୁଧରେ ସ୍କୁଟି ଯୋଗାଇଦେବା ପାଇଁ ଦାବି କରାଯାଇଥିଲା । ସରକାର ଉକ୍ତ ଦାବି ଗୁଡ଼ିକୁ ଯଦି ତୁରନ୍ତ ଦୃଷ୍ଟି ଦେଇ ସମାଧାନ ନକରନ୍ତି ତା’ ହେଲେ ଆସନ୍ତା ଦିନରେ ଆଶାକର୍ମୀ ମାନେ ଭାରତୀୟ ମଜଦୂର ସଂଘର ସହଯୋଗରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଉପସ୍ଥିତ ନେତୃବୃନ୍ଦ ପ୍ରକାଶ କରିଥିଲେ ।

Leave A Reply

Your email address will not be published.