ସରିଲା ଲାଖ ମରା : ଲକ୍ଷ୍ୟ ଭେଦ କଲେ ପ୍ରଭୁ ପାଦ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡିର ଆରାଧ୍ୟା ଦେବୀ ମାଁ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଲାଖ ମରା ପର୍ବ ଅନୁଷ୍ଠିତ ହୋଇଛି । ଆଜି ବିଜୟା ଦଶମୀ ଅବସରରେ ଅପରାହ୍ନରେ ମାଁ ମାଣିକେଶ୍ୱରୀଙ୍କ ପ୍ରତୀକ ଛତରଙ୍କୁ ମନ୍ଦିରରୁ ଜେନା ବାଦ୍ୟ, ଘଣ୍ଟାଘଣ୍ଟା ଶଙ୍ଖର ତାଳେ ତାଳେ ଭକ୍ତଙ୍କ ଗହଣରେ ଭବାନୀପାଟଣା ସହର ଉପକଣ୍ଠରେ ଥିବା ନାକଟି ଗୁଡା ଲାଖ ମରା ପଡିଆକୁ ନିଆ ଯାଇଥିଲା । ସେଠାରେ ନିର୍ମିତ ଏକ ସ୍ୱତନ୍ତ୍ର ମଞ୍ଚରେ ମା’ଙ୍କ ପ୍ରତୀକ ଛତରଙ୍କୁ ସ୍ଥାପନ କରାଯାଇଥିଲା । କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ମା’ଙ୍କ ଛତରଙ୍କୁ ପୂଜାର୍ଚ୍ଚନା କରିଥିଲେ । ଏହାପରେ ଲାଖ ମରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲାଖ ମରା ଯାଇଥିଲା । ପ୍ରତିଯୋଗୀ ମାନେ ବାଉଁଶ ଉପରେ ରଖା ଯାଇଥିବା ଲାଖକୁ ବନ୍ଧୁକରେ ଲକ୍ଷ୍ୟ କରିଥିଲେ । ସହରର ପୁରୁଣା ପଡ଼ାର ପ୍ରଭୁପାଦ ପ୍ରଧାନ ଲକ୍ଷ୍ୟ ଭେଦ କରିବାରେ ସଫଳ ହୋଇ ବିଜୟୀ ହୋଇଥିଲେ । ପୂର୍ବରୁ ମଧ୍ୟ ପ୍ରଭୁ ପାଦ ଲାଖ ମାରିଥିଲେ ଦ୍ଵିତୀୟ ଥର ପାଇଁ ସେ ବିଜୟୀ ହୋଇଛନ୍ତି । ମହାରାଜ ବିଜୟୀ ପ୍ରଭୁ ପାଦଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହାପରେ ମାଙ୍କ ଛତର ଜେନା ବାଦ୍ୟ, ମହୁରୀ ନିଶାନ ଓ ତାସାର ତାଳେ ତାଳେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଲାଖ ମରା ଦେଖିବାପାଇଁ ବହୁ ସଂଖ୍ୟାରେ ଜନ ସମାଗମ ହୋଇଥିଲା । ମନ୍ଦିର ନିକଟରେ ମଧ୍ୟ ଭକ୍ତଙ୍କ ଗହଳି ଲାଗିରହିଥିଲା । ମୂଳାଷ୍ଟମିରୁ ଆରମ୍ଭ ହୋଇଥିବା ଦଶହରା ପର୍ବ ଲାଖ ମରା ପରେ ଉଦ୍‌ଯାପିତ ହୋଉଯାଇଛି । ମା’ଙ୍କୁ ଅତି ନିକଟରେ ଦର୍ଶନ କରିବା ପାଇଁ ଭକ୍ତଗଣ ଆସନ୍ତା ଛତର ଯାତ୍ରାକୁ ଉତ୍କଣ୍ଠା ସହ ଅପେକ୍ଷା କରି ରହିଛନ୍ତି ।

Leave A Reply

Your email address will not be published.