ରାବଣ ପୋଡି ଉତ୍ସବ ପାଇଁ ପ୍ରସ୍ତୁତି

  • ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୩୩ ବର୍ଷ ଧରି ନୀରବଛିନ୍ନ ଭାବେ ଚାଲିଆସିଥିବା ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦର୍ହକ୍ଷ ଗ୍ରାମରେ କୁମାର ପୂର୍ଣ୍ଣିମା ରାବଣ ପୋଡି ଉତ୍ସବ । ଚଳିତ ବର୍ଷ ୩୩ ବର୍ଷରେ ପଦାର୍ପଣ କରିଛି । ପୂଜା କମିଟି ପକ୍ଷରୁ ପୂଜାକୁ ସଫଳ କରିବା ପାଇଁ କମିଟିର କର୍ମକର୍ତ୍ତାମାନେ ଲାଗି ପଡିଛନ୍ତି । ପ୍ରମୁଖ ଶକ୍ତି ଉପସନା ପୀଠ ଭାବରେ ଲଉଡ଼ିଦରହା ସ୍ୱତନ୍ତ୍ର ଖ୍ୟାତି ରହିଛି । ପ୍ରତି ବର୍ଷ ଲଉଡ଼ିଦର୍ହା ଗ୍ରାମରେ ଗଜଲକ୍ଷ୍ମୀ ପୂଜା ଓ ରାବଣ ପୋଡି ଉତ୍ସବ ଧୂମଧାମରେ ପାଳନ କରାଯାଉଛି । ୧୯୯୧ ମସିହାରୁ ଗ୍ରାମର ସ୍ୱର୍ଗତ ଜୟଦେବ ସାହୁ, ଗୌନ୍ତିଆ ରଘୁନନ୍ଦନ ଭୋଇ, ଚିତ୍ତରଞ୍ଜନ ଭୋଇଙ୍କ ଉଦ୍ଧ୍ୟମରେ ଗ୍ରାମବାସୀଙ୍କ ଦ୍ୱାରା ଗଜଲକ୍ଷ୍ମୀ ପୂଜା ରାବଣ ପୋଡି ଉତ୍ସବ ଆରମ୍ଭ ହୋଇଥିଲା । ବର୍ଷା ଅଭାବରୁ ଏହି ଅଞ୍ଚଳରେ ମରୁଡି ସ୍ଥିତି ପ୍ରତ୍ୟହ ଦେଖାଦେଇଛି । ଚାଷୀକୁଳଙ୍କ ଚାଷ କାର୍ଯ୍ୟ ନେଇ ବର୍ଷାର ଆଗମନ ପାଇଁ ଏହି ଗଜ ଲକ୍ଷ୍ମୀ ପୂଜା ରାବଣ ପୋଡି କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନରୁ ମରୁଡି ସ୍ଥିତି ଦେଖା ଯାଉନାହିଁ । ଏହି ଯାତ୍ରା ଉପରେ ଏହି ଗ୍ରାମର ଅଧିବାସୀଙ୍କ ଅଗାଢ଼ ବିଶ୍ୱାସ ରହିଛି । ଏହି ଉପଲକ୍ଷେ ଗ୍ରାମବାସୀଙ୍କ ଦ୍ୱାରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚଛି । ସୁଉଚ୍ଚ ତୋରଣ ସହ ସମଗ୍ର ଗ୍ରାମକୁ ରଙ୍ଗିନ ଆଲୋକରେ ସଜାଯିବ । ପୁରା ଗ୍ରାମରେ ପାର୍ବଣର ମାହୋଲ ଦେଖିବାକୁ ମିଳିବ । ଗାଁ ବାହାରେ ରହିଥିବା ଲୋକେ ଏବେ ଗାଁ ମୁହାଁ ହେଉଛନ୍ତି । କମିଟିର ନିଷ୍ପତି ଅନୁଯାୟୀ ଆସନ୍ତା ୧୬ ତାରିଖରେ କଳସ ଅଧିବାସୀ, ମଣ୍ଡପ, ଦେବତା ପ୍ରବେଶ, ପୂଜାରମ୍ଭ, ୧୭ ତାରିଖରେ ସକାଳ ପୂଜାରମ୍ଭ, ମଧ୍ୟାହ୍ନରେ ନଗର ଭ୍ରମଣ, ସନ୍ଧ୍ୟା ଆଳତୀ ସନ୍ଧ୍ୟା ୭ରେ ରାବଣ ପୋଡି ଉତ୍ସବ, ପୂର୍ଣ୍ଣାହୁତି, ୧୮ ତାରିଖରେ ସକାଳ କଳସ ବିସର୍ଜନ, ଭସାଣି ଯାତ୍ରା ଅନୁଷ୍ଠିତ ହେବ । ସବୁଥର ପରି ଏଥର ମଧ୍ୟ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆକର୍ଷଣ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି । ଜଗତସିଂପୁରର ଅପେରା, ପଶ୍ଚିମ ଓଡିଶାର ବିପିନ ଜାଲଙ୍କ ଦଣ୍ଡନୃତ୍ୟ ପରିବେଷଣ କରାଯିବ । କମିଟି ସଦସ୍ୟ କିଶୋର ସାମଲ, ମହେନ୍ଦ୍ର ପଧାନ, ମନୋଜ ପଧାନ, ରାହୁଲ ଭୋଇ, ରାଜକୁମାର ଭୁଏ, ଅକ୍ଷୟ ଭୁଏ, ରବିଶଙ୍କର ପଧାନ, ରାମଦାସ ମାଝୀ, ନରେଶ ଠାକୁର, ସୁଶାନ୍ତ ସିଂ, ମାଧବ ଜଗତ, ଜ୍ୟୋତିରଞ୍ଜନ ଜଗତ ପ୍ରମୁଖ ପ୍ରସ୍ତୁତି ବୈଠକରେ ଉପସ୍ଥିତ ରହି ପୂଜା ସମ୍ପର୍କରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.