ରାଜବାଟୀ ଶାରଦୀୟ ଦୁର୍ଗାପୂଜା ତୃତୀୟ ସନ୍ଧ୍ୟାରେ ରାବଣ ଦରବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : କଳା ଓ ସଂସ୍କୃତିର ସହର ପଦ୍ମପୁର ରାଜବାଟୀ ଶାରଦୀୟ ରଙ୍ଗମଞ୍ଚରେ ତୃତୀୟ ସନ୍ଧ୍ୟାର ରଞ୍ଜିତା କାର୍ଯ୍ୟକ୍ରମ ରାମଲୀଳା ନାଟ୍ୟଧାରାରୁ ଆରମ୍ଭ ହୋଇଥିଲା । ମହାରାଜ ରାବଣଙ୍କ ଦରବାରରେ ରାଜଅତିଥି ଭାବରେ ପଦମପୁର ଏସ୍. ଡି. ପି. ଓ. ବିଭୁତି ଭୂଷଣ ଭୋଇ ଯୋଗଦେଇ ସମସ୍ତଙ୍କୁ ଶାରଦୀୟ ଶୁଭେଚ୍ଛା ଜ୍ଞାପନ କରିଥିଲେ । ତାଙ୍କୁ ମହାରାଜ ରାବଣ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ଏହି ସଭାରେ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ପ୍ରତାପ ମିଶ୍ର, ଉପ ସଭାପତି ଅଜିତ ଶତପଥୀ, ସଦସ୍ୟ ପ୍ରମୋଦ ନାଥ, ସଞ୍ଜୀବ ବହିଦାର, ଅଚ୍ୟୁତାନନ୍ଦ ସେଠ ଓ ନବକିଶୋର ବରିହା ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ଶତପଥୀ ତାଙ୍କର ଅଭିଭାଷଣରେ ବୋଡ଼ାସମ୍ବରର ଅସ୍ମିତା ବାରଭାଇ ବେଣ୍ଟକାର୍ ଉପରେ ଆଲୋକପାତ କରିଥିଲେ ଏବଂ ଆଗାମୀ ବର୍ଷ ତାଙ୍କର ଏକ ପ୍ରତିମୂର୍ତ୍ତି ଭେଉଁରିଆଛକ ଠାରେ ସ୍ଥାପନ କରିବା ନିମନ୍ତେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ବିଭିନ୍ନ ସ୍ଥାନରୁ ଆସିଥିବା ଲୋକ ନୃତ୍ୟଦଳ ସାନ ବଡ ଘୁଡକାନାଚ ତୁଷୁରା, ଢ଼ୋଲ୍ ମୁହୁରୀ କଳା ପରିଷଦ, ବଲାଙ୍ଗିର ଏବଂ କୁରେଫୁଲ ସାଂସ୍କୃତିକ ଦଳ ଅତାବିରା ତାଙ୍କର ଗୀତ ଓ ନାଚ ପ୍ରଦର୍ଶନ କରିଥିଲେ ଓ ଦର୍ଶକ ଏହାକୁ ମନଭରି ଉପଭୋଗ କରିଥିଲେ । ଆଜି ରାମଲୀଳା ନାଟ୍ୟଧାରାରେ ଶ୍ରୀ ରାମଙ୍କ ଲଙ୍କା ପ୍ରବେଶ, ଇନ୍ଦ୍ରଜିତ ଓ କୁମ୍ଭକର୍ଣ୍ଣ ବଧ ଅଭିନୀତ ହୋଇଥିଲା । ଆଜିର ସମସ୍ତ କାର୍ଯ୍ୟକ୍ରମକୁ ରାଜେନ୍ଦ୍ର ମହାନ୍ତି ଓ ବିଜୟ ଦାନୀ ସଂଯୋଜନା କରିଥିବା ବେଳେ ରାଜେଶ ଗୁର୍ଲା, ରମେଶ ଗୁର୍ଲା ଓ ସୁରେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ । ରାବଣ ଓ ଇନ୍ଦ୍ରଜିତ୍ ଭୂମିକାରେ ମହାରାଜ ନିର୍ମଳ ମେହେର ଓ ଝସକେତନ୍ ମେହେର ତଥା ସାଥୀ କଳାକାର ମାନଙ୍କର ଅଭିନୟ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଦର୍ଶକ ମନଭରି ଉପଭୋଗ କରିଥିଲେ ।

Leave A Reply

Your email address will not be published.