ମୁରିବାହାଲ ବ୍ଲକ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ କୋରମ୍ ଅଭାବରୁ କାଟ ଖାଇଲା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ କୋରମ ଅଭାବରୁ କାଟ ଖାଇଯାଇଛି । ଫଳରେ ଅଧ୍ୟକ୍ଷ ଶ୍ରୀ ମେହେର ନିଜ ପଦ ବଜାୟ ରଖିବାରେ ସଫଳ ହୋଇଛନ୍ତି । ବୁଧବାର ଅନୁଷ୍ଠିତ ସ୍ଵତନ୍ତ୍ର ବୈଠକରେ ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମି ପ୍ରିଜାଡ଼ିଂ ଅଫିସର ଦାୟିତ୍ୱରେ ଓ ଅତିରିକ୍ତ ତହସିଲଦାର ଖଦାଳ ପାତ୍ର ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିଲେ । ମୋଟ୍‌ ୪୫ ଜଣ ସଦସ୍ୟଙ୍କ ମଧ୍ୟରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ସହ କେବଳ ମୋଟ୍‌ ୬ ଜଣ ସଦସ୍ୟ ଉପସ୍ଥିତ ଥିଲେ । ଫଳରେ କୋରମ ଅଭାବରୁ ଅନାସ୍ଥା ପ୍ରସ୍ତାବ କାଟ ଖାଇଯାଇଥିଲା । ଏ ବିଷୟରେ ଉପଜିଲ୍ଲାପାଳଙ୍କୁ ଜଣାଇ ଦିଆଯିବ ବୋଲି ତହସିଲଦାର ତଥା ପ୍ରିଜାଇଡିଂ ଅଫିସର ଜଗଦୀଶ କର୍ତ୍ତାମୀ ପ୍ରକାଶ କରିଛନ୍ତି । ବୈଠକରେ ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲ, ବିତ୍ତ ଅଧିକାରୀ ଘେନୁରାମ ତାଣ୍ଡି ଓ ଜିପଡିଓ ଗଙ୍ଗାଧର ଛତର ଉପସ୍ଥିତ ଥିଲେ । ଆଇନ ଶୃଙ୍ଖଳା ରକ୍ଷା ପାଇଁ କଣ୍ଟାବାଞ୍ଜି ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ, ମୁରିବାହାଲ ଥାନା ଆଇଆଇସି ସିପୋରା ସରାୟ ଲୁଗୁନ, କଣ୍ଟାବାଞ୍ଜି ଆଇଆଇସି ରଶ୍ମିତା ବେହେରା ଓ ବଙ୍ଗୋମୁଣ୍ଡା ଆଇଆଇସି ସଞ୍ଜୀବ କୁମାର ପଧାନ ଏକ ପ୍ଲାଟୁନ ପୁଲିସ ଫୋର୍ସ ସହ ଉପସ୍ଥିତ ଥିଲେ ।

Leave A Reply

Your email address will not be published.