ମୁରିବାହାଲ ବ୍ଲକ ଲକ୍ଷେଘର ଗଣ୍ଡା ସମାଜ ପକ୍ଷରୁ ବ୍ଲକସ୍ତରୀୟ ନୂଆଁଖାଇ ଭେଟଘାଟ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜ ପକ୍ଷରୁ ବ୍ଲକସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ ଓ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଖେଳପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଏକ ବିଶାଳ ଶୋଭାଯାତ୍ରା ଦେବଙ୍ଗ ଗ୍ରାମର ସଙ୍କୀର୍ତ୍ତନ ଦୀପଙ୍କ ଘରୁ ବାହାରି ଗ୍ରାମ ଦେବୀ ମାଁ ଗଡ଼ପତି ଗୁଡେନଙ୍କ ସହିତ ଅନ୍ୟାନ୍ୟ ଗ୍ରାମ ଦେବୀ ମାଁ ଦୁଆରସେନି, ମାଁ ବସ୍ତରେନ୍, ମାଁ ଛତର ବାଉତି, ତଥା ଗ୍ରାମର ସମସ୍ତ ଦେବାଦେବୀଙ୍କ ପୂଜାର୍ଚ୍ଚନା ସାରି ଆଦିମ ଗଣ୍ଡାବଜା, ସିଂହ ବଜାର ଆନ୍ଦୋଳିତ ସ୍ୱରରେ ମଞ୍ଚ ପାଖକୁ ଆସିଥିଲେ । ଲକ୍ଷେ ଘର ଗଣ୍ଡା ସମାଜ ବ୍ଲକ କାର୍ଯ୍ୟକାରୀ ସଭାପତି ମଦନ ମୋହନ କୁମ୍ଭାରଙ୍କ ସଭାପତିତ୍ୱରେ ତଥା ନୂଆଁଖାଇ ଭେଟଘାଟ କମିଟିର ମୁଖ୍ୟ ଉପଦେଷ୍ଟା ଡଃ. ଗୋପାଳକୃଷ୍ଣ ଦୀପଙ୍କ ସଂଯୋଜନାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ବ୍ଲକ ବିତ୍ତ ଅଧିକାରୀ ଘେନୁରାମ ତାଣ୍ଡି, ସମ୍ମାନିତ ଅତିଥି ଭାବେ ମୁରିବାହାଲ ପଞ୍ଚାୟତ ସମିତି ଜୁନିୟର ମହାବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦ, ସମାଜସେବୀ ଗୋବିନ୍ଦ ତାଣ୍ଡି, ପିଇଓ ଅର୍ଜୁନ ଛୁରା, ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଚୈତନ୍ୟ ମହାନନ୍ଦ, ବ୍ଲକ ଉପସଭାପତି ବିଭୀଷଣ ମହାନନ୍ଦ, ଶିକ୍ଷକ କ୍ଷେତ୍ରମୋହନ ବେନିଆ, ତଥା ମୁଖ୍ୟବକ୍ତା ଭାବେ ଗଣ୍ଡା ସମାଜ ସଂସ୍କୃତିର ଗବେଷକ ଅଶୋକ କୁମାର ପ୍ରମୁଖ ନିଜ ନିଜର ମତ ପ୍ରକାଶ କରିଥିଲେ । ଏହି ଅବସରରେ ଲକ୍ଷେ ଘର ଗଣ୍ଡା ସମାଜର ଏକତା, ସାମ୍ବିଧାନିକ ଅଧିକାର ତଥା ବ୍ଲକ ଅଞ୍ଚଳରେ ହେଉଥିବା ଜାତିଆଣ ଅତ୍ୟାଚାର ଶୋଷଣ ବିରୁଦ୍ଧରେ ଲଢ଼େଇ ପାଇଁ ଆହ୍ଵାନ ଦିଆଯାଇଥିଲା । ବ୍ଲକ ସାଧାରଣ ସମ୍ପାଦକ ଦୀପକ ରଞ୍ଜନ ବାଗ ବାର୍ଷିକ ବିବରଣୀ ପାଠ କରିଥିଲେ । ବ୍ଲକର ୨୨ଟି ପଞ୍ଚାୟତର ସମସ୍ତ ସଭାପତି ତଥା ସମସ୍ତ କମିଟି ସଭ୍ୟ ତଥା ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଞ୍ଚାସୀନ ଥିଲେ । ଏହି ଅବସରରେ ଶିକ୍ଷା, କଳା, ଖେଳ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଛାତ୍ରଛାତ୍ରୀ ଓ ବ୍ୟକ୍ତି ବିଶେଷମାନଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ହଳଦୀ ପଞ୍ଚାୟତ ସଭାପତି ତରୁଣ ସିଂ ଦୀପ ଧନ୍ୟବାଦ ଦେଇଥିଲେ । ଏହାପରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବିଶିଷ୍ଟ କଳାକାର ସୁଦର୍ଶନ ଦୀପଙ୍କ ସହଯୋଗରେ କୋଶଳି ଅର୍କେଷ୍ଟ୍ରାର ନାମିଦାମୀ କଳାକାରଙ୍କ ଦ୍ଵାରା ଆୟୋଜନ କରାଯାଇଥିଲା ।
ଏହି ଅବସରରେ ଆୟୋଜିତ ଏକ ମେଗାସ୍ୱାସ୍ଥ୍ୟ ଶିବିରରେ ଅଞ୍ଚଳର ଅନେକ ଲୋକ ଚିକିତ୍ସା ସେବା ପାଇ ପାରିଥିଲେ । ଏହି ନୂଆଁଖାଇ ଭେଟ୍‌ଘାଟ କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଅଞ୍ଚଳରୁ ପ୍ରବଳ ଜନସମାଗମ ହୋଇଥିଲା । ସମାଜର ସମସ୍ତ ବ୍ୟକ୍ତିବିଶେଷ ବିଶେଷ କରି ଯୁବ ଗୋଷ୍ଠୀ ବିଭିନ୍ନ ଦାୟିତ୍ଵ ବହନ କରି ଏପରି ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନରେ ସହଭାଗୀତା ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଏକ ଜନ ସଚେତନତା ସୃଷ୍ଟି କରିଥିଲା । ନୂଆଁଖାଇ ଭେଟ୍‌ଘାଟ କମିଟିର ମୁଖ୍ୟ ଉପଦେଷ୍ଟା ଡଃ. ଗୋପାଳକୃଷ୍ଣ ଦୀପ ସମସ୍ତଙ୍କ ସହଯୋଗରେ ଏପରି ଏକ ଭବ୍ୟ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.