jayashree

ମେଗା ଏସ୍.ଏଚ୍.ଜି. ଋଣ ମେଳା ଅନୁଷ୍ଠିତ

ଅନୁଗୁଳ (୧୨.୦୧.୨୦୨୧): ଆଜି ଅନଗୁଳ ଜିଲ୍ଲାର ବଇଣ୍ଡାଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ବଇଣ୍ଡା ଶାଖା ଓ ଓଡ଼ିଆ ଲାଇଭଲିହୁଡ୍ ମିଶନ, କିଶୋରନଗର ବ୍ଲକର ମିଳିତ ଆନୁକୂଲ୍ୟରେ ଏକ ମେଗା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍.ଏଚ୍.ଜି.) ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଋଣ ମେଳାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଡେପୁଟି ଜେନେରାଲ ମ୍ୟାନେଜର ( କୃଷି ବିଭାଗ) ଏସ୍. ବି. ଖଇନାର୍, ଭୁବନେଶ୍ଵର ଜୋନାଲ ଅଫିସର ଡେପୁଟି ଜେନେରାଲ ମ୍ୟାନେଜର କୁନ୍ଦନ ଜ୍ୟୋତି, କେନ୍ଦୁଝର ରିଜିଓନାଲ ଅଫିସର ରିଜିଓନାଲ ମ୍ୟାନେଜର ମନୋରଞ୍ଜନ ସାମଲ, କିଶୋରନଗର ବ୍ଲକର ବିଡ଼ିଓ ଶ୍ୟାମଲାଲ ରାୟ, ଡିଆରଡିଏ ଅନୁଗୁଳରୁ ଏପିଡି ନିରଜ ଶର୍ମା ଓ ଡିପିଏମ୍ ଚନ୍ଦନ କୁମାର ବେହେରା ସମେତ ସ୍ଥାନୀୟ ସରପଞ୍ଚ ଜଳଧର ସାହୁ ଯୋଗଦେଇ ଥିଲେ।

ଏହି ମେଳାରେ ସତୁରୀରୁ ଉର୍ଦ୍ଧ୍ବ ସ୍ବୟଂ ସହାୟିକା ଗୋଷ୍ଠୀର ଦେଢଶହରୁ ଅଧିକ ମାଆମାନେ ଯୋଗଦେଇ ଥିଲେ । ଏହି ଅବସରରେ ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ସର୍ବଦା ସ୍ବୟଂ ସହାୟିକା ଗୋଷ୍ଠୀ ପାଇଁ କାର୍ୟ୍ୟ କରି ଆସୁଛି । ଗୋଟିଏ ଗ୍ରୁପକୁ ସର୍ବନିମ୍ନ ଦୁଇ ଲକ୍ଷ ଟଙ୍କା ଋଣ ପ୍ରଦାନ କରିଥାଏ ମାତ୍ର ସାତ ପ୍ରତିଶତ ସୁଧରେ । ସରକାରଙ୍କ ମିଶନ ଶକ୍ତି ତରଫରୁ ସୁଧ ଟଙ୍କା ମଧ୍ୟ ଇଣ୍ଟ୍ରେଷ୍ଟ ସବଭେନସନ୍ ଆକାରରେ ଋଣଖାତାକୁ ଫେରସ୍ତ ଦିଆଯାଇଥାଏ । ଏସଏଚଜି ଗ୍ରୁପ ସବୁ ଏଇ ଯୋଜନାର ଲାଭ ଉଠେବା ଉଚିତ୍ । ଏତଦ୍ ବ୍ୟତୀତ ସରକାରଙ୍କ ବିଭିନ୍ନ ଯୋଜନା, ଯଥା ପ୍ରଧାନମନ୍ତ୍ରୀ ବୀମା ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଓ ଅଟଳ ପେନସନ ଯୋଜନାର ଅନ୍ତର୍ଭୁକ୍ତ ହୋଇପାରିବେ । ବକ୍ତାମାନେ ଆହୁରି ମଧ୍ୟ କହିଥିଲେ ଯେ, ମହିଳାମାନେ ରୋଜଗାରକ୍ଷମ ହେଲେ ହେଁ ଦେଶର ଅର୍ଥନୈତିକ ଅଭିବୃଦ୍ଧି ହେବ ।

ଏହି ଅବସରରେ ଛଅସ୍ତରୀଟି ସ୍ବୟଂ ସହାୟିକା ଗୋଷ୍ଠୀଂକୁ ଏକ କୋଟି ତେୟାଳିଶ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା ।କାର୍ୟ୍ୟକ୍ରମ ଆରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାୟନ କରାଯାଇଥିଲା । ସ୍ବାଗତ ଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ବଇଣ୍ଡା ଶାଖାର ଶାଖା ପ୍ରବନ୍ଧକ ସୁରେନ୍ଦ୍ର କୁମାର ମିଶ୍ର । କାର୍ୟ୍ୟକ୍ରମ ସଂଚାଳନ କରିଥିଲେ ଜିଲ୍ଲା ସେଲ୍ସ ହବ୍, ଅନୁଗୁଳର ମୁଖ୍ୟ ପ୍ରବନ୍ଧକ ମୀନକେତନ ବାରଲେବଡ଼ିଆ ଓ ସହଯୋଗ କରିଥିଲେ ଡି.ଏସ୍.ଏଚ୍, ଢେଙ୍କାନାଳର ଅତୀସ କୁମାର ପଟ୍ଟନାୟକ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶରତ ଚନ୍ଦ୍ର ସାହୁ ।

Leave A Reply

Your email address will not be published.