ଟେଙ୍ଗରାରେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା

  • ବାପଘର ଲୋକଙ୍କ ହତ୍ୟା ଅଭିଯୋଗରେ ସ୍ଵାମୀ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବଡସାଇମରା ପଞ୍ଚାୟତ ଟେଙ୍ଗରା ଗ୍ରାମରେ ସୁନୀତା ଦାସ(୨୭) ନାମ୍ନୀ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଥିଲାଫ ଅନ୍ୟପକ୍ଷରେ ତାଙ୍କ ବିବାହିତା ଝିଅଙ୍କୁ ଯୌତୁକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଶାଶୁଘର ଲୋକେ ହତ୍ୟା କରିଥିବା ବାପଘର ଲୋକେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସ ମୃତ ସୁନିତାଙ୍କ ସ୍ଵାମୀ କୈଳାସ ଦାସଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି । ଟେଙ୍ଗରା ଗ୍ରାମର ସୋମବାରୁ ଦାସ ଓ ତପସ୍ଵିନି ଦାସଙ୍କ ପୁଅ କୈଳାସ ଦାସଙ୍କୁ ବଙ୍ଗୋମୁଣ୍ଡା ଥାନା ମୁଣ୍ଡପଦର ଗ୍ରାମର ଶୁକଦେବ ଦାସ ଓ ପଞ୍ଚା ଦାସଙ୍କ ଝିଅ ସୁନୀତା ଦାସ ପ୍ରେମ ବିବାହ କରିଥିଲେ । କୈଳାସ ଦାସ ଓ ତାଙ୍କ ପତ୍ନୀ ସୁନୀତା ଦାସଙ୍କ ଜଣେ ପୁଅ(୫)ବର୍ଷ ଓ ଜଣେ ଝିଅ(୨)ବର୍ଷ ଅଛନ୍ତି । ସୁନୀତାଙ୍କ ସ୍ଵାମୀ କୈଳାସ ମାସେ ତଳେ ପେଟପାଟଣା ପାଇଁ ସୁଦୂର ତାମିଲନାଡୁକୁ ଯାଇଥିବା ଜଣାପଡିଥିଲା । ଦିନ ୧୧ଟା ବେଳେ ସୁନୀତା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ପାଇ ବାପଘର ଲୋକେ ଟେଙ୍ଗରାରେ ପହଞ୍ଚିଥିଲେ । ସେମାନେ ରଶି ଲଗାଇ ସୁନୀତା ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିବା ବେଳେ ତାଙ୍କ ବେକରେ ଗୁରୁତର ଆଘାତ ଲାଗିଥିବା ଓ ଗୋଡ ଦୁଇଟି ମଧ୍ୟ ତଳେ ଲାଗିରହିଥିବା ଦେଖିବାକୁ ପାଇଥିଲେ । ମାସେ ତଳେ ପାରିବାରିକ ଗଣ୍ଡଗୋଳ ଯୋଗୁଁ ଝିଅ ବାପଘରକୁ ଯାଇଥିଲା । ଗ୍ରାମବାସୀଙ୍କ ବୁଝାସୁଝା ପରେ ସେ ଶାଶୁଘରକୁ ଫେରିଥିଲା । ଏଣୁ ତାଙ୍କ ଝିଅଙ୍କୁ ଅଧିକ ଯୌତୁକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଶାଶୁଘର ଲୋକେ ସୁଚିନ୍ତିତ ଭାବେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ପରିବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ଘଟଣାସ୍ଥଳକୁ ମୁରିବାହାଲ ଥାନା ପୁଲିସ ଟିମ, ମାଜିଷ୍ଟ୍ରେଟ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ଖଦାଳ ପାତ୍ର, କଳାହାଣ୍ଡିରୁ ଆସିଥିବା ସାଇଣ୍ଟିଫିକ ଟିମ ସହ ପହଞ୍ଚି ତନାଘନା ତଦନ୍ତ କରିଥିଲେ । ଏ ସମ୍ପର୍କରେ ଥାନା କେସ ନଂ ୩୦୪/୨୪ ରୁଜ୍ଜୁ କରାଯାଇ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ବୋଲି ତଦନ୍ତକାରୀ ଏସ୍‌ଆଇ ଦନାର୍ଦନ ଓରାମ ପ୍ରକାଶ କରିଥିଲେ । ସ୍ଵାମୀ କୈଳାସଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.