ଜଙ୍ଗଲ ଅଧିକାର ଆଇନ ସେଲର “ମୋ ଜଙ୍ଗଲ ଜମି” ଯୋଜନା ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ପଞ୍ଚାୟତ ସମିତି ସଭାଗୃହ ଠାରେ ଜଙ୍ଗଲ ଅଧିକାର ଆଇନ ସେଲର “ମୋ ଜଙ୍ଗଲ ଜମି” ଯୋଜନା ସମ୍ପର୍କରେ ଏକ ବୈଠକ ତହସିଲଦାର ସଂଘମିତ୍ରା କାଲୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଡ଼ିଓ ଅକ୍ଷୟ ପାଣି ଉଦୁ, ବଲାଙ୍ଗିର ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି, ସଦର ଏଡିଡ଼ବ୍ଲୁଓ ଦାମୋଦର ବିଶ୍ଵାଳ, ଅତିରିକ୍ତ ତହସିଲଦାର ଅସେଶା ବାଗ, ଜଙ୍ଗଲ ଅଧିକାର ସେଲ ଜିଲ୍ଲା ସଂଯୋଜକ ତ୍ରିନାଥ ଭୋଇ, ଆରସିଡ଼ିସି ପ୍ରୋଗ୍ରାମ ମ୍ୟାନେଜର କୁଳମଣି ସାହୁ, ଜିଲ୍ଲା ସଂଯୋଜକ ଗୁରୁଦେବ ପଧାନ, ବ୍ଲକ ସଂଯୋଜକ ବିମଳେନ୍ଦୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଲୋଇସିଂହା ବ୍ଲକରେ ବଞ୍ଚିତ ପରିବାରକୁ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର, ବ୍ୟକ୍ତିଗତ ଅଧିକାର ପ୍ରଦାନ ପାଇଁ ତ୍ୱରାନ୍ୱିତ କରାଯିବା, ଗ୍ରାମସଭା ମାଧ୍ୟମରେ ଜଙ୍ଗଲ ଜମି ଅଧିକାର କମିଟି ଗଠନ କରି କ୍ରିୟାଶୀଳ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଲୋଇସିଂହା ବ୍ଲକର ୮୩ ଟି ଗ୍ରାମରେ ଜଙ୍ଗଲ ଅଧିକାର କମିଟି ଗଠନ, ଯୋଗ୍ୟ ବ୍ୟକ୍ତିଙ୍କୁ ଯୋଜନାରେ ସାମିଲ କରାଯିବା ଆଦି ନେଇ ବ୍ୟାପକ ଆଲୋଚନା ହୋଇଥିଲା । ତେବେ ଆଗତୁରା ସୂଚନା ଦିଆଯିବା ସତ୍ତ୍ୱେ ବୈଠକରେ ଜଙ୍ଗଲ ବିଭାଗର କୌଣସି ଅଧିକାରୀ ଉପସ୍ଥିତ ନ ରହିବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଥିଲା । ବିଭିନ୍ନ ପଞ୍ଚାୟତରୁ ସ୍ୱେଚ୍ଛାସେବୀଙ୍କ ସମେତ ଜଙ୍ଗଲ ଅଧିକାର କମିଟିର ସଦସ୍ୟମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.