ଛାଡ ହେଲା ମ୍ୟାଟ୍ରିକ ପରୀକ୍ଷା ଫିସ୍‌

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ଫି ଛାଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରୀକ୍ଷା ଫି ଛାଡ଼ ଦ୍ୱାରା ଉପକୃତ ହେବେ ୬ ଲକ୍ଷ ଛାତ୍ରଛାତ୍ରୀ । ଫି ଛାଡ଼ ପାଇଁ ୨୭ କୋଟି ବ୍ୟୟଭାର ବହନ କରିବେ ସରକାର । ମାଟ୍ରିକ ପରୀକ୍ଷା ପାଇଁ ପ୍ରତି ପିଲାଙ୍କୁ ୪୨୦ ଟଙ୍କା ଫି ପଡ଼ିଥାଏ । କରୋନା ମହାମାରୀ ପାଇଁ ୨୦୨୦-୨୧ ଶିକ୍ଷା ବର୍ଷ ବିଶେଷ ଭାବରେ ପ୍ରଭାବିତ ହୋଇଛି । ଦୀର୍ଘ ୯ ମାସ କାଳ ସ୍କୁଲ ବନ୍ଦ ରହିବା ପରେ ଜାନୁଆରୀ ୮ ତାରିଖରୁ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀକୁ କୋଭିଡ ନିୟମ ପାଳନ କରି ସ୍କୁଲ ଖୋଲାଯାଇଛି । ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ତଥା ପାଠ୍ୟକ୍ରମରେ ବିଭିନ୍ନ ବିଷୟରେ ଥିବା ସନ୍ଦେହ ଦୂର କରିବା ପାଇଁ କ୍ଲାସ କରାଯାଉଛି । କରୋନା ଯୋଗୁ ବହୁ ଲୋକଙ୍କର ଜୀବନଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତି ଫଳରେ ଅର୍ଥାଭାବରୁ କୌଣସି ପିଲା ପରୀକ୍ଷା ଦେବାରୁ ବଞ୍ଚିତ ହେବେ ନାହିଁ ।

Leave A Reply

Your email address will not be published.