ଶ୍ୱଶୁର ଘର କେନାଲ ପାଇପରେ ଭାସି ଯାଇ ଜ୍ୱାଇଁଙ୍କ ମୃତ୍ୟୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଅଏଁଲାଭଟା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଧୋଇବା ସମୟରେ କେନାଲ ପାଇପରେ ଭାସିଯାଇ ଜ୍ୱାଇଁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଜ୍ୱାଇଁ ଜଣକ ହେଲେ ଟୁପାଉଡାର ପଞ୍ଚାୟତ ଜାମକାନି ଗାଁର ମନ ମାଝୀ (୩୦) । ସୂଚନା ଯୋଗ୍ୟ ଯେ, ମନ ମାଝୀ ନିଜ ସ୍ତ୍ରୀ ଦେବକୀ ମାଝୀ ଓ ୨ ପୁଅ ସହିତ ନିଜ ଶ୍ୱଶୁର ସନମତ ଭୋଇଙ୍କ ଘର ଅଏଁଲାଭଟା ଗାଁକୁ ଆସିଥିଲେ । ସୋମବାର ଦିନ ୧୧ ଘଣ୍ଟା ସମୟରେ ମନ ମାଝୀ ଓ ତାଙ୍କ ୨ ସଡୁ ଗଁରେଇ ପଞ୍ଚାୟତ ମାଲପଡା ଗାଁର ସିତାରାମ ମାଝୀ ଓ ବଙ୍ଗୋମୁଣ୍ଡା ଥାନା ଟିଟିସିଲେଟ ଗାଁର ଦେବରାଜ ଭୋଇ (୩୪) । ୩ ଜଣ ମିଶି ଗାଁ ପାଖ ଚାଷ ଜମି ଦେଇ ଯାଇଥିବା ଲୋୟର ଇନ୍ଦ୍ର କେନାଲ ପାଇପ୍‌ର ପାଣି ଯିବା ସ୍ଥାନରେ ଗାଧୋଉଥିଲେ । କେନାଲ ପାଇପ୍‌ ଦେଇଆସୁଥିବା ପାଣିର ସ୍ରୋତ ଦ୍ରୁତ ଗତିରେ ଆସିଥିବାରୁ ପାଇପ୍‌ରେ ମନ ମାଝୀ ଭାସିଯାଇଥିବା ଜଣାପଡିଛି । ଏନେଇ ମୁରିବାହାଲ ପୋଲିସ ଟିମ ଓ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି କରି ନପାଇବାରୁ ୨ଟି ଜେସିବି ସାହାଯ୍ୟରେ ମାଟି ଖୋଲି ପାଇପ୍‌ ଭିତରୁ ଦୀର୍ଘ ୫ ଘଣ୍ଟାର ଅପରେସନ ପରେ ମନଙ୍କ ମୃତଦେହ ଉଦ୍ଧାର କରିଥିଲେ । ଲୋୟର ଇନ୍ଦ୍ର କେନାଲର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ମୃତ ମନଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବାକୁ ଦାବୀ ହୋଇଛି । ଏ ସମ୍ପର୍କରେ ଥାନାରେ ଅପମୃତ୍ୟୁ କେସ ନଂ. ୧୯/୨୪ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ମଙ୍ଗଳବାର ଟିଟିଲାଗଡରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.