ନାଗବାଚା ଗୁରୁଙ୍କୁ ପଥରରେ ଛେଚି ମରଣାନ୍ତକ ଆକ୍ରମଣ ଓ ୧୦ ହଜାର ଟଙ୍କା ଲୁଟ୍ : ଦୁଇ କୋର୍ଟ ଚାଲାଣ, ଜଣେ ଫେରାର୍‌

ମୁରିବାହାଲ, (ଦୁର୍ଗା ନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ୫୯ ନମ୍ବର ଜାତୀୟ ରାଜପଥର ଗରଗଡବାହାଲ ଛକରେ ଜଣେ ନାଗବାଚା ଗୁରୁଙ୍କୁ ପଥରରେ ଛେଚି ମରଣାନ୍ତକ ଆକ୍ରମଣ କରି ୧୦ ହଜାର ଟଙ୍କା ଲୁଟ୍‌ ଘଟଣାରେ ପୁଲିସ୍ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ଜଣେ ଫେରାର୍‌ ଥିବା ଜଣାପଡିଛି । ଗିରଫ ଅଭିଯୁକ୍ତମାନେ ହେଲେ ଅସୁରମୁଣ୍ଡା ଗ୍ରାମର ଗୁମାନ ଗହୀରଙ୍କ ପୁଅ ଯଶୁରାମ ଗହୀର(୨୪) ଓ ଆତ୍ମାରାମ ଭୋଇଙ୍କ ପୁଅ ପ୍ରତାପ ଭୋଇ(୨୨) ହୋଇଥିବା ବେଳେ ଅନ୍ୟ ଜଣେ ଫେରାର୍‌ ଥିବା ପୋଲିସ ପ୍ରକାଶ କରିଛି । ତୁରେକେଲା ଥାନା ଲର୍କି ଗ୍ରାମର ନାଗବାଚା ଗୁରୁ ଜୟଚନ୍ଦ୍ର ମେହେର(୫୬)ଗତ ୨୭ ତାରିଖରେ ଏହି ଥାନା ଅସୁରମୁଣ୍ଡା, ଫଟାମୁଣ୍ଡା ଗ୍ରାମ ଦେଇ ସିଲେଟପଡ଼ା ଗାଁକୁ ନିଜ ଶିଷ୍ୟମାନଙ୍କ ପାଖକୁ ଯାଉଥିବା ବେଳେ ଅଭିଯୁକ୍ତମାନଙ୍କ ବାଇକ୍‌ ସହ ତାଙ୍କ ବାଇକ୍‌ର ଧକ୍କା ହୋଇଥିଲା । ଏହାକୁ ନେଇ ନାଗବାଚା ଗୁରୁ ଜୟଚନ୍ଦ୍ର କୁଆଡେ ଯୁବକମାନଙ୍କୁ ଗାଳି ଗୁଲଜ କରିଥିଲେ । ଏହି ରାଗ ରଖି ଅଭିଯୁକ୍ତ ଯୁବକମାନେ ନାଗବାଚା ଗୁରୁଙ୍କ ପିଛା କରି ଘଟଣାସ୍ଥଳରେ ତାଙ୍କ ମୁଣ୍ଡକୁ ପଥରରେ ଛେଚି ମରଣାନ୍ତକ ଆକ୍ରମଣ କରି ସେ ବିଭିନ୍ନ ଶିଷ୍ୟମାନଙ୍କଠାରୁ ସଂଗ୍ରହ କରିଥିବା ୧୦ ହଜାର ଟଙ୍କା ଲୁଟି ନେଇଥିଲେ । ନାଗବାଚା ଗୁରୁ ଏ ସମ୍ପର୍କରେ ଥାନାରେ ଲିଖିତ ଏତଲା ଦେଇଥିଲେ । ପୁଲିସ କେଶ ନଂ ୩୦୮/୨୪ ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖି ଅଭିଯୁକ୍ତମାନଙ୍କୁ ଆଣି ଅଟକ ରଖି ପରେ ଗିରଫ କରିଥିବା ଥାନା ଏସ୍‌ଆଇ ପ୍ରମୋଦ କୁମାର ପଧାନ ପ୍ରକାଶ କରିଛନ୍ତି । ଗିରଫ ଅଭିଯୁକ୍ତମାନଙ୍କୁ ଅଧିକ ତଦନ୍ତ ପରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.