ଆନ୍ଦୋଳନ ପରେ ପ୍ରଶାସନ ଚେତା ପଶିଲା : ୨୪ ଘଣ୍ଟା ନ ପୁରୁଣୁ ଅଧିକାରୀଙ୍କ ପରିଦର୍ଶନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଡେଙ୍ଗୁ ରୋଗ ସହିତ ରାସ୍ତାଘାଟ , ଡ୍ରେନ ଓ ଲାଇଟ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିଛି । ଉକ୍ତ ସମସ୍ୟା ନେଇ ବଜରଙ୍ଗ ଦଳ ଆହ୍ୱାନ କ୍ରମେ ବ୍ଲକ ଘେରାଉ ଓ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା । ଏହାପରେ ସଇଁତଲା ବିଡ଼ିଓ ପହଂଚି ଉତ୍ତେଜିତ ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଜା କରିବା ସହ ଦୁର୍ଗାପୂଜା ପୂର୍ବରୁ ଡ୍ରେନ ଓ ରାସ୍ତାଘାଟର ମରାମତି ଦିଗରେ ପଦେକ୍ଷପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଘଟଣାର ୨୪ ଘଣ୍ଟା ନ ପୁରୁଣୁ ସକାଳ ସମୟରେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ସହ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବେହେରା, ଜଳ ଓ ପରିମଳ ବିଭାଗର ଯନ୍ତ୍ରୀ ଇତିଶ୍ରୀ ଦେହୁରୀ, କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ରାକ୍ଷ ଥପା, ସ୍ଵଚ୍ଛ ଭାରତ ମିଶନ କର୍ମଚାରୀ ପହଂଚି ସଇଁତଲା ସହରର ମୁଖ୍ୟ ରାସ୍ତା ଦେଖିବା ସହ ହାଟପଦାକୁ ଯାଇ ଡ୍ରେନ ଓ ରାସ୍ତାଘାଟ ଅବସ୍ଥା ବୁଲି ବୁଲି ସବୁ ଆଡେ କାଦୁଅ ପଚପଚ ଦେଖିଥିଲେ । ଏପରିକି ଡ୍ରେନରେ ଅଳିଆ ଆବର୍ଜନା ଗୁଡିକ ରାସ୍ତାରେ ବୋହୁ ଥିବା ସହ ରାସ୍ତାଗୁଡିକ ଗାତ ସୃଷ୍ଟି ହୋଇ ପାଣି ଜମା ରହୁଥିବା ସମସ୍ତ ଦିଗକୁ ନେଇ ପ୍ରଶାସନିକ ଅଧିକାରୀମାନେ ଅନୁଧ୍ୟାନ କରିଥିଲେ । ପରେ ପଞ୍ଚାୟତକୁ ଯାଇ ସୁଇପର ସହ ସଫାସୁତୁରା ଉପରେ ମଧ୍ୟ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ଏଣୁ ବଜରଙ୍ଗ ଦଳ ଏପରି ଆନ୍ଦୋଳନ ତଥା କାର୍ଯ୍ୟକଳାପକୁ ସହରବାସୀ ପ୍ରଶଂସା କରିଛନ୍ତି । ପ୍ରକାଶ ଯେ, ସଇଁତଲା ସହରରେ ଡେଙ୍ଗୁ ରୋଗରେ ୩ ଜଣ ଯୁବକଙ୍କ ଜୀବନ ଚାଲିଗଲାଣି । ଏହା ସହିତ ସହରରେ ଜଳ ଓ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଶୋଚନୀୟ ହୋଇପଡିଛି । ଏହି ସଇଁତଲା ସହରରେ ଥିବା ସମସ୍ତ ଡ୍ରେନ ଗୁଡିକ ଅକାମି ହୋଇ ପଡ଼ିଥିବା ବେଳେ ଅଳିଆ ଆବର୍ଜନାଗୁଡିକ ରାସ୍ତାରେ ବୋହି ଯାଉଛି । ଫଳରେ ଦୁର୍ଗନ୍ଧରେ ଲୋକଙ୍କ ନାକ ଫାଟି ଯାଉଛି । ବର୍ତ୍ତମାନ ଆଗକୁ ଦଶହରା ଦୁର୍ଗାପୂଜା ଆସୁଥିବା ବେଳେ ସହରର ସମସ୍ତ ଗଳିକନ୍ଦି ରାସ୍ତା ଘାଟଗୁଡିକ ଖାଲଢିପ ହୋଇ ପାଣି ଜମା ରହୁଛି । ଏପରିକି ସନ୍ଧ୍ୟା ସମୟରେ ସହରରେ ଲାଇଟ ବ୍ୟବସ୍ଥା ମଧ୍ୟ ଫେଲ ମାରିଛି । ଯାହା ଫଳରେ ସହରଟି ଅନ୍ଧାରମୟ ହୋଇପଡିଛି । ଲୋକେ ସାପ ଭୟରେ ଘରୁ ବାହାରୁନାହାନ୍ତି । ଏହାର ତୁରନ୍ତ ମରାମତି କରାଯିବା ସହିତ ଡ୍ରେନଗୁଡିକରେ ଅଳିଆ ଆବର୍ଜନାରେ ଭର୍ତି ହୋଇ ପଡିଥିବା ଯୋଗୁଁ ତାର ମଧ୍ୟ ଶୀଘ୍ର ସଫାସୁତୁରା କରିବା ସହିତ ଅଧିକାଂଶ ଲୋକ ରାସ୍ତାକୁ ଜବର ଦଖଲ କରିଥିବାରୁ ଡିମାରକେସନ ମାଧ୍ୟମରେ ତାହା ଉଚ୍ଛେଦ କରାଯାଉ ବୋଲି ବଜରଙ୍ଗ ଦଳ ତରଫରୁ ଦାବୀ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!