ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ ଦ୍ୱାରା ହିନ୍ଦୀ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ, ରାଉରକେଲା ଆନୁକୂଲ୍ୟରେ ସେକ୍ଟର-୧୮ ସ୍ଥିତ ଦୀପିକା ଇସ୍ପାତ ଶିକ୍ଷା ସଦନ, ପ୍ରେକ୍ଷାଳୟରେ ହିନ୍ଦୀ ଦିବସ ମହାସମାରୋହରେ ପାଳନ କରାଯାଇଥିଲା । ଏହି ଅବସରେ ଚେମ୍ବର ଅଫ କମର୍ସ, ରାଉରକେଲାର ପ୍ରାକ୍ତନ ସଭାପତି ତଥା ବିଶିଷ୍ଟ ସମାଜସେବୀ ସୁନିଲ କାୟଲ ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରି କହିଲେ- ହିନ୍ଦୀ ଆମର ରାଜଭାଷା ରୂପେ ସମ୍ବିଧାନ ଦ୍ୱାରା ସ୍ୱୀକୃତି ଲାଭ କରିଛି, ରାଷ୍ଟ୍ରଭାଷା ହିନ୍ଦୀ ପାଇଁ ଆମର ପ୍ରୟାସ ଜାରି ରହିଛି । ଅଣ ହିନ୍ଦୀ ରାଜ୍ୟରେ ହିନ୍ଦୀର ବହୁଳ ପ୍ରଚାର ପ୍ରସାର ପାଇଁ ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ କାର୍ଯ୍ୟରତ । ମାତୃଭାଷାର ଉନ୍ନତି ସଙ୍ଗେ ସଙ୍ଗେ ରାଷ୍ଟ୍ରଭାଷାର ଉନ୍ନତି ଆମର ଧ୍ୟେୟ । ଏଥି ପାଇଁ ଦୃଢ ମନୋବଳ ଓ ସମର୍ପଣ ଭାବର ଆବଶ୍ୟକତା ରହିଛି । ଅବସରପ୍ରାପ୍ତ ହିନ୍ଦୀ ଅଧ୍ୟାପକ ଆଦିତ୍ୟ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ, ସମ୍ପ୍ରତ୍ତି ରାଜଭାଷା ରୂପେ ପ୍ରଚଳିତ । ହିନ୍ଦୀ ରାଷ୍ଟ୍ରଭାଷାର ମର୍ଯ୍ୟାଦା ପାଇ ନାହିଁ, ସେଥିପାଇଁ ଦେଶର କୋଣ ଅନୁକୋଣରେ ସ୍ୱର ଉତ୍ତୋଳନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାର୍ଯ୍ୟକ୍ରମ ସଭାପତି ସୁଶ୍ରୀ ଗ୍ରେସୀ ଡାଭିଡ ହିନ୍ଦୀ ଆମର ଅସ୍ମିତା, ସଂସ୍କୃତିର ପରିଚାୟକ, ଏହାର ସମ୍ମାନ ସମ୍ପୂର୍ଣ୍ଣ ଦେଶର ସମ୍ମାନ ବୋଲି ଅଭିହିତ କରିଥିଲେ । ଉତ୍କଳମଣି ଗୋପବଂଧୁ ଶିକ୍ଷା ଓ କଲ୍ୟାଣ ଟ୍ରଷ୍ଟର ସଭାପତି ପ୍ରଭାତ କୁମାର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଂସ୍ଥାନର ପ୍ରବନ୍ଧନ ନ୍ୟାସୀ ତଥା ସମ୍ପାଦକ ଡକ୍ଟର ଜଗନ୍ନାଥ ଦାଶ ହିନ୍ଦୀ ଦିବସ ଆୟୋଜନର ଉଦ୍ଦେଶ୍ୟ, ଉପଯୋଗିତା ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ଓ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଦୀପିକା ଇସ୍ପାତ ଶିକ୍ଷା ସଦନର ବିଦ୍ୟାର୍ଥୀଗଣ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ହାଇସ୍କୁଲ ଓ +୨ ସ୍ତରୀୟ ହିନ୍ଦୀ ବକ୍ତୃତା ପ୍ରତିଯୋଗିତାର ବିଜେତାମାନଙ୍କୁ ମୁଖ୍ୟ ଅତିଥିଙ୍କ କରକମଳରେ ଉପହାର ଓ ପ୍ରମାଣପତ୍ର ବିତରଣ କରାଯାଇଥିଲା । ଅନ୍ୟ ଅତିଥିଙ୍କ ମଧ୍ୟରେ ଆଲେଖ ଚନ୍ଦ୍ର ନାୟକ, ସୁଧାଂଶୁ ମିଶ୍ର, ମହିଳା ସଂହତିର ନିଧି ସିଂହଲ, ପୁନମ ଗୁପ୍ତା, ଅସୀମା ମିଶ୍ର, ଆଦ୍ୟାଶା ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ସୁଶ୍ରୀ ସୋହନ କୁମାରୀ ହିନ୍ଦୀ ଦିବସ ଉପଲକ୍ଷେ ବକ୍ତବ୍ୟ ରଖିଥିଲେ । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ବିଜୟିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାର୍ଥୀଗଣ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିଶିର କୁମାର ସାମଲଙ୍କ କୁଶଳ ମାର୍ଗଦର୍ଶନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ମୋନାଲିସା ଗୌଡ, ଶ୍ରୀବତ୍ସ ସାମଲ, ନୀଳିମା ମହାପାତ୍ର, ରେଖା ବୋଷ, ଲୀନା ମହାନ୍ତି, ଲକ୍ଷ୍ମୀ ସାହୁ ପ୍ରମୁଖ ସହଯୋଗ କରିଥିବାବେଳେ ଶେଷରେ ସ୍କାଉଟ୍‌ ଆଣ୍ଡ ଗାଇଡ୍‌ଙ୍କ ସହଯୋଗରେ ଅତିଥିମାନେ ବୃକ୍ଷ ରୋପଣ କରିଥିଲେ ।

Leave A Reply

Your email address will not be published.