ଆନ୍ତର୍ଜାତିକ ବାଣିଜ୍ୟ ମେଳା ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆନ୍ତର୍ଜାତିକ ବାଣିଜ୍ୟ ମେଳା ସେକ୍ଟର ୧୩ ସ୍ଥିତ ମେଳଣ ପଡ଼ିଆ ଠାରେ ଉଦ୍‌ଘାଟିତ ହୋଇଯାଇଛି । ଗୁପ୍ତା ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ଓ ଆର୍‌ଏମ୍‌ଏସ୍‌ ଆଉଟ୍‌ଡୋର୍‌ର ମିଳିତ ଆନୁକୂଲ୍ୟରେ ହେଉଥିବା ଏହି ମେଳା ମନୋଜ ନାୟକଙ୍କ ସଂଯୋଜନାରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଓ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ସମ୍ମାନିତ ଅତିଥି ଓ ସ୍ୱତନ୍ତ୍ର ଅତିଥି ଭାବେ ସଚେତନ ନାଗରିକ ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି, ପାନପୋଷ ସାଙ୍ଗଠନିକ ଜିଲ୍ଲା ବିଜେପି ସଭାପତି ଲତିକା ପଟ୍ଟନାୟକ, ସୁକେଶୀ ଓରାମ ଓ ବିଶିଷ୍ଟ ବ୍ୟବସାୟୀ ରାଜେଶ ମହାପାତ୍ର ପ୍ରମୁଖ ଯୋଗଦେଇ ମେଳାକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଓରାମ ତାଙ୍କ ବକ୍ତବ୍ୟରେ କହିଲେ ଯେ, ରାଉରକେଲାରେ ଏକ ଆନ୍ତର୍ଜାତିକ ବାଣିଜ୍ୟ ମେଳା ଅନୁଷ୍ଠିତ ହେବ ଏକଥା ସେ କେବେ ଭାବିନଥିଲେ । ଏହି ମେଳାରେ ୮ଟି ଦେଶ ଓ ଭାରତର ୧୭ଟି ରାଜ୍ୟର ବ୍ୟବସାୟୀମାନେ ଅଂଶଗ୍ରହଣ କରି ଏହି ମେଳାର ଗୁରୁତ୍ୱ ବଢାଇଛନ୍ତି । ଏଠାକୁ ସହରବାସୀ ଆସିଲେ ନିଶ୍ଚୟ ସେମାନଙ୍କ ଜ୍ଞାନ ବର୍ଦ୍ଧନ ହେବ । ସମ୍ମାନିତ ଅତିଥି ଶ୍ରୀ ତନ୍ତୀ କହିଲେ ଯେ, ରାଉରକେଲା ହେଉଛି ଜୀବନ ଓ ଜୀବିକାର ସହର । ଭାଇଚାରାର ସହର । ରଘୁନାଥପାଲିକୁ ରାଉରକେଲା ବି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ମେଳା ଦ୍ୱାରା ରାଉରକେଲାବାସୀ ଉପକୃତ ହୋଇପାରିବେ । ଅନ୍ୟ ଅତିଥି ମାନେ ମେଳାର ଆୟୋଜନ ଓ ଆୟୋଜକଙ୍କୁ ପ୍ରଶଂସା କରିବା ସହ ଏହା ଆଗାମୀ ଦିନରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ରଖିଥିଲେ । ଆୟୋଜକ ପାୟଲ ଗୁପ୍ତା ମେଳାର ଆଭିମୁଖ୍ୟ ଓ ଆବଶ୍ୟକତା ସମ୍ପର୍କରେ ମତ ରଖିଥିଲେ । ଶେଷରେ ମନୋଜ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥି ମାନେ ମେଳାର ବିଭିନ୍ନ ଷ୍ଟଲ୍‌ ବୁଲି ଦେଖିଥିଲେ ।

Leave A Reply

Your email address will not be published.