ଶିକ୍ଷା ଦେବା ନାମରେ ଆସି ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ କିଛି ବର୍ଷ ହେବ ଜଣେ ବ୍ୟକ୍ତି ଶିକ୍ଷା ଦେବା ନାରେ ଆସି ରହିବା ପରେ ଅନୁସୂଚିତ ଆଦୀମ ଜନଜାତି, ଜନଜାତି ଓ ଜାତି ବର୍ଗର ଲୋକଙ୍କୁ ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ନେଇ ଉଷାବାଲି ଗ୍ରାମର ଶତାଧିକ ଯୁବକ ବେଲଘର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେମାନଙ୍କ ଅଭିଯୋଗ ହେଲା ମଣିପୁର ରାଜ୍ୟର ଜଣେ ବ୍ୟକ୍ତି ଦୀର୍ଘ ୧୦ବର୍ଷ ହେବ ଏହି ଅଞ୍ଚଳକୁ ଆସି ଅଶିକ୍ଷିତ ଅନୁସୂଚିତ ଆଦୀମ ଜନଜାତି, ଜନଜାତି ଓ ଜାତି ବର୍ଗର ଲୋକଙ୍କୁ ଶିକ୍ଷା ପ୍ରଦାନ କରିବା ନେଇ ଲୋକଙ୍କୁ ବୁଝାଇ ତରଲଙ୍ଗି ଠାରେ ରହିବା ଆରମ୍ଭ କରିଥିଲା । ଏହା ପରେ ଶିକ୍ଷା ଦେବା ନାମରେ ବିଭିନ୍ନ ଗ୍ରାମକୁ ଯାଇ ସରଳତା ଓ ନିରକ୍ଷରର ସୁଯୋଗ ନେଇ ଧର୍ମ ପରିବର୍ତ୍ତନ କରିଥିବାର ଅଭିଯୋଗ ହୋଇଛି । ବର୍ତ୍ତମାନ ଉଷାବାଲି ଗ୍ରାମରେ ଯାଇ କିଛି ପରିବାରକୁ ବିଭିନ୍ନ ପ୍ରଲୋଭନ ଦେଖାଇବା ସହ ଧମକ ଦେଖାଇ ଧର୍ମାନ୍ତରୀକରଣ ହେବାକୁ ବାଧ୍ୟ କରୁଥିବା ନେଇ ଅଭିଯୋଗ ହେବା ପରେ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି । ଏଣୁ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଶିଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଉକ୍ତ ଅଞ୍ଚଳ ଛାଡ଼ି ତାଙ୍କ ନିଜ ଅଞ୍ଚଳ ମଣିପୁର ଚାଲିଯିବା ପାଇଁ କହିଛନ୍ତି । ବାଲେଶ୍ଵର ମାଝି, ପିତାମ୍ବର ମାଝି, ଗୋବିନ୍ଦ ମାଝୀ, ସୁଜିତ ମାଝି, ସୁଶୀଳ ମାଝି ପ୍ରମୁଖ ବେଲଘର ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ବେଲଘର ଥାନା ଅଧିକାରୀ ସୌମ୍ୟରଞ୍ଜନ ପତିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଗ୍ରାମବାସୀ ଏକ ଲିଖିତ ପତ୍ର ପ୍ରଦାନ କରିଛନ୍ତି, ତାହାର ତଦନ୍ତ କରାଯିବା ସହ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ।

Leave A Reply

Your email address will not be published.