ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ ଜରୁରୀ ନୁହେଁ

କୋରାପୁଟ, (ସୁନାମ ହନ୍ତାଳ) : ସୁଭଦ୍ରା ଯୋଜନାରେ ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ ନିମନ୍ତେ ବିଭିନ୍ନ ମୋ’ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ମହିଳାଙ୍କ ଭିଡ ଲାଗି ରହୁଥିଲା । ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ ଜରୁରୀ ନୁହେଁ ବୋଲି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଆଧାର କାର୍ଡରେ ମୋବାଇଲ ଲିଙ୍କ ନ ହେଉଥିଲେ ସୁଦ୍ଧା ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ବାୟୋମେଟ୍ରିକ , ଫେସ ଓ ଆଇରିସ ଜରିଆରେ ଅଥେଣ୍ଟିକେସନ ହୋଇପାରିବ ବୋଲି ସେ କହିଛନ୍ତି । ଜିଲ୍ଲାରେ ୫ ଲକ୍ଷରୁ ଅଧିକ ହିତାଧୀକାରୀଙ୍କୁ ଫର୍ମ ପ୍ରଦାନ କରାଯାଇଥିବା ସେ କହିଛନ୍ତି । ଅନଲାଇନରେ ଫର୍ମ ଆବେଦନ କରିବା ପାଇଁ ନିର୍ଦ୍ଧିଷ୍ଟ ସମୟ ସୀମା ନାହିଁ । ତେଣୁ ମୋ’ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଭିଡ଼ ଜମାନ୍ତୁ ନାହିଁ ବୋଲି ସେ ନିବେଦନ କରିଛନ୍ତି । ଜିଲ୍ଲାର ରାଜସ୍ୱ ଗ୍ରାମ ମାନଙ୍କରେ ଶିବିର ଆୟୋଜନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ଵରାଜ୍ୟ ସୀସା, ଓଡ଼ିଶା ଜୀବିକା ମିଶନର ପ୍ରିୟମ୍ବଦା ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.