ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ସମାରୋହ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ସଂସ୍କୃତଭାରତୀର ଅନୁରୋଧ କ୍ରମେ ବଲାଙ୍ଗିର ଟାଉନ୍‌ ବାଳିକା ଉଚ୍ଚବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ, ସଂସ୍କୃତ ଶିକ୍ଷକ ସମ୍ମିଳନୀ ଏବଂ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ଭାବେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା ସଂସ୍କୃତ ଭାଷାରେ ନିହିତ ଜ୍ଞାନ ଭଣ୍ଡାରର ସଂରକ୍ଷଣ, ବିକାଶ ଓ ପ୍ରଚାର ପ୍ରସାର ନିମନ୍ତେ ସଂସ୍କୃତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଏଥିପାଇଁ ସମସ୍ତଙ୍କର ଅଧିକ ପରିଶ୍ରମର ଆବଶ୍ୟକତା ରହିଛି ବୋଲି କହିଥିଲେ । ମୁଖ୍ୟବକ୍ତା ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛତାମଖନାର ସଂସ୍କୃତ ଅଧ୍ୟାପକ ଦୈତ୍ୟାରି ପୁଜାରୀ ସଂସ୍କୃତ ଭାଷାର ସମ୍ବର୍ଦ୍ଧନ ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଗୁରୁଦାୟିତ୍ଵ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ । ସଂସ୍କୃତ ଭାରତୀର ପ୍ରାନ୍ତ ସମ୍ପାଦକ ଏବଂ ସରକାରୀ ମହିଳା ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଅଜିତ କୁମାର ପଣ୍ଡା ବିଭିନ୍ନ ପ୍ରକାରର ସମସ୍ୟାର ସମାଧାନ ସଂଗଠିତ ହେଲେ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ଆଦର୍ଶ ଚରିତ୍ର ନିର୍ମାଣ ସଂସ୍କୃତ ଅଧ୍ୟୟନ ଦ୍ଵାରା ସମ୍ଭବ ବୋଲି ପ୍ରଧାନଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର କହିଥିଲେ । ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥୀ ସଂସ୍କୃତ ଅଧ୍ୟୟନର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ସଂସ୍କୃତ ଭାରତୀ ବଲାଙ୍ଗିର ଜିଲ୍ଲାର ସଂଯୋଜକ ତଥା ଓଏଭି ପଥରଚେପାର ସଂସ୍କୃତ ଶିକ୍ଷକ ଶେଷଦେବ ମିଶ୍ର ସଭା ପରିଚାଳନା କରିଥିବା ବେଳେ ଉଦ୍ଦେଶ୍ୟ କଥନ ମାଧିଆପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଡ. ପୂର୍ଣଚନ୍ଦ୍ର ତ୍ରିପାଠୀ, ମଙ୍ଗଳାଚରଣ ଦେବଦତ୍ତ ଦ୍ୱିବେଦୀ, ଧ୍ୟୈୟମନ୍ତ୍ର ଉଚ୍ଚାରଣ ପ୍ରସନ୍ନ ଗଡତ୍ୟା, ଅତିଥି ପରିଚୟ ବିନୋଦ କୁମାର ମିଶ୍ର ଧନ୍ୟବାଦ ଅର୍ପଣ ଦିବ୍ୟଲୋଚନ ଥନାପତି, ଶାନ୍ତି ପାଠ ତୋଷକୁମାର ସାହୁ କରିଥିବା ବେଳେ ଝୁନୀତା ଭୋଇ, ରୀନା ମିଶ୍ର, ଆଭା ଆର୍ଯ୍ୟା, ସୁଦର୍ଶନ ଦାଶ, ରୋହିତ କଠାର, ଶୁଭଶ୍ରୀ ସାହୁ ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂସ୍କୃତ ଶିକ୍ଷା ଏବଂ ଶିକ୍ଷାଦାନ ବିଷୟରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଦ୍ୱିଶତାଧିକ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଭାଗନେଇ ନିଜ ବିଚାର ପ୍ରକଟନ କରିଥିଲେ ।

Leave A Reply

Your email address will not be published.