ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ଵତୀ ଶିଶୁ ମନ୍ଦିରରେ ବର୍ଣ୍ଣାଢ଼୍ୟ ସମାରୋହରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣ ବେଶ ମେଳା ଓ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟବକ୍ତା ଭାବେ ସ୍ଵନାମଧନ୍ୟ ପ୍ରବକ୍ତା ତଥା ଭାଗବତ ଭାସ୍କର ଜଗନ୍ନାଥ ପଣ୍ଡା ଯୋଗଦେଇ ଶ୍ରୀକୃଷ୍ଣଙ୍କ ଏହି ଧରାଧାମରେ ଜନ୍ମ ହେବାର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥିମାନଙ୍କ ପରିଚୟ ସହ ସ୍ୱଗତ ଭାଷଣ ଦେଇଥିଲେ । ଅନୁଷ୍ଠାନାର ସମ୍ପାଦକ ପଦ୍ମଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉପସଭାପତି ଶ୍ରୀମତି ଗୀତା ପାଢି ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ଆଚାର୍ଯ୍ୟ ଶ୍ରୀକାନ୍ତ ମହାପାତ୍ର ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ହିନ୍ଦୁମାନଙ୍କର ହିନ୍ଦୁତ୍ଵ ରକ୍ଷା ନିମନ୍ତେ ତାଙ୍କର ଅମର ବଳିଦାନ ସମ୍ପର୍କରେ କଥା ରଖିଥିଲେ । ଏହି ଅବସରେ ଛୋଟ ଛୋଟ ଶିଶୁମାନେ ରାଧାକୃଷ୍ଣ ବେଶ ପରିଧାନ କରି ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରକୁ ବରିଷ୍ଠ ଆଚାର୍ଯ୍ୟ ସୁଶୀଳା ଗୁରୁମାଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ଯାଇ ଭାଗବାନଙ୍କର ପ୍ରଭୁ କୃପା ଲାଭ କରିଥିଲେ । ପରିଶେଷରେ ଶିଶୁମାନଙ୍କଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମାତୃଭାରତୀର ସଦସ୍ୟ ମାନେ ଯୋଗଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ । ପିଲାମାନଙ୍କ ଦ୍ୱାରା ନିର୍ମିତ ଶ୍ରୀକୃଷ୍ଣଙ୍କ ଚିତ୍ର ବିଦ୍ୟାଳୟର କାନ୍ଥଗୁଡ଼ିକ ସୁନ୍ଦର ଭାବରେ ଲାଗିବା ସହ ବିଦ୍ୟାଳୟଟି ଉଜ୍ୱଳ ଆଲୋକ, ଫୁଲ ଏବଂ ତୋରଣରେ ସଜାଯାଇଥିଲା । ଏଥିରେ ସମସ୍ତ ଗୁରୁଜୀ, ଗୁରୁମା ଓ ମଉସା, ମାଉସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.