ନିଉ ଟ୍ୟାଲେଣ୍ଟସ୍ ଡ୍ୟାନସ୍ ଗ୍ରୁପ୍ ପକ୍ଷରୁ ରାଜ୍ୟସ୍ତରୀୟ ଡ୍ୟାନସ୍ ନାଇଟ୍ ମେଗା-ସୋ ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ନିଉ ଟ୍ୟାଲେଣ୍ଟସ୍ ଡ୍ୟାନସ୍ ଗ୍ରୁପ୍ ପକ୍ଷରୁ ରାଜ୍ୟସ୍ତରୀୟ(ଆଧୁନିକ) ଡ୍ୟାନସ୍ ପ୍ରତିଯୋଗିତା ବନାମ ଡ୍ୟାନସ୍ ନାଇଟ୍ ମେଗା-ସୋ ରବିବାର ସନ୍ଧ୍ୟାରେ ସମାହିତ ହେଇଯାଇଛି । ନୃତ୍ୟ ସଙ୍ଗୀତରେ ମଞ୍ଚ ଦୁଲକି ଉଠିଥିଲା । ରାଜ୍ୟର ବିଭିନ୍ନପ୍ରାନ୍ତରୁ ଆସିଥିବା ଯୁବ-ପ୍ରତିଭାଙ୍କ ରଙ୍ଗାରଙ୍ଗ ନୃତ୍ୟ ସଙ୍ଗୀତ ପରିବେଷଣରେ ଅଗଣିତ ଦର୍ଶକ ବିମୋହିତ ହୋଇ ଯାଇଥିଲେ । ଏହି ନାଇଟ୍ ମେଗା-ସୋ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଯୁବ-ପ୍ରତିଭାଙ୍କ ଉଚ୍ଚକୋଟୀର ନୃତ୍ୟାଭିନୟ ପ୍ରଦର୍ଶନରେ ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ବି. ଶଙ୍କର ରେଡ୍ଡୀ, ପ୍ରିନ୍ସ ଡେନ୍ସ ଗ୍ରୁପ୍‌ର ନିର୍ଦ୍ଦେଶକ ଟି. କ୍ରିଷ୍ଣା ମୋହନ୍ ରେଡ୍ଡୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦାନ କରି କଳାକାରଙ୍କୁ ଉତ୍ସାହିତ କରିଥିଲେ । ଏକ ଦିନାତ୍ମକ ପ୍ରତିଯୋଗିତାରେ ବିଜୟ ଲାଭ କରିଥିବା କୃତ୍ତି ପ୍ରତିଯୋଗୀମାନଙ୍କୁ ବିଧାୟକ ଶ୍ରୀ ନାୟକ ପୁରସ୍କୃତ କରିଥିବା ବେଳେ ନିଉ-ଟ୍ୟାଲେଣ୍ଟସ୍ ଡ୍ୟାନସ୍ ଗ୍ରୁପ୍‌ର ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିଲେ ।

Leave A Reply

Your email address will not be published.