ଭଗବାନ ଭରସାରେ ଚାଲିଛି ବିଦ୍ୟାଳୟ

କେସିଙ୍ଗା, (ପ୍ରୀତେଶ ପଟେଲ) : ରାଜ୍ୟରେ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ସରକାରୀ ବିଦ୍ୟାଳୟ ଗୁଡ଼ିକର ଅବସ୍ଥା ବହୁତ୍ ଶୋଚନୀୟ ପରିସ୍ଥିତି ଦେଇ ଗତି କରୁଛି । ଆମେ ଆପଣଙ୍କୁ ଯେଉଁ ବିଦ୍ୟାଳୟର ଚିତ୍ର ଦେଖାଇବୁ ତାହା କୌଣସି ଗାଁର ଚିତ୍ର ନୁହେଁ ଏହା ହେଉଛି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଏନ୍‌ଏସି ଅନ୍ତର୍ଗତ ୨ ନମ୍ୱର୍ ୱାର୍ଡରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚିତ୍ର । ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାର ବ୍ୟବସ୍ଥା ରହିଥିବା ବେଳେ ସମୁଦାୟ ୨୦୧ ଜଣ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି । କିନ୍ତୁ ଅଭାବ ରହିଯାଇଛି ଶିକ୍ଷାଦାନ ପାଇଁ ଉପଯୁକ୍ତ ପରିବେଶର । ୧୯୫୮ ମସିହାରୁ ଆରମ୍ଭ ହୋଇଥିବା ସହରର ଏହି ପୁରାତନ ବିଦ୍ୟାଳୟଟି ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହି ସରକାରୀ ସହାୟତାକୁ ଅନେଇ ବସିଛି । ବିଦ୍ୟାଳୟରେ ସମୁଦାୟ ଆଠଟି ଶ୍ରେଣୀ ଗୃହ ରହିଛି କିନ୍ତୁ ତାହା ନାମକୁ ମାତ୍ର ଶ୍ରେଣୀ ଗୃହ । ଗୋଟିଏ ଗୃହକୁ ରୋଷେଇ ଘର ଭାବେ ବ୍ୟବହାର କରାଯାଉଛି । ତାହାର ଅବସ୍ଥା ମଧ୍ୟ କହିଲେ ନ ସରେ ଚାରିଆଡ଼େ କଳା ଧୂଆଁ ମୟ ହୋଇଛି । ଝରକା ଦୁଇଟିର କବାଟ ନାହିଁ ଆଉ ଆଜ୍‌ବେଷ୍ଟର୍‌ କଣା ହୋଇ ଆକାଶ ଦେଖାଯାଉଛି । ଆଉ ଗୋଟିଏରେ ଅଙ୍ଗନୱାଡ଼ି କେନ୍ଦ୍ର ଚାଲିଛି । ସେହି କୋଠରୀରେ ମଧ୍ୟ ଛାତରୁ ପାଣି ଗଳୁଛି । ଦୁଇଟି ପୁରୁଣା ଶ୍ରେଣୀ ଗୃହର ଘର କାନ୍ଥ କେତେବେଳେ ଯେ, ଭୁଶୁଡ଼ି ପଡ଼ିବ ତାହା କହିବା ଅସମ୍ଭବ । ଆଜ୍‌ବେଷ୍ଟର୍‌ ସବୁ କଣା ହୋଇ ସୂର୍ଯ୍ୟ ଦେଖାଯାଉଛି । ଚାରୋଟି ଛାତ ଘର ରହିଥିବା ବେଳେ ତାର ଅବସ୍ଥା ମଧ୍ୟ ଠିକ୍ ନାହିଁ । ଦୁଇଟି ଛାତରୁ ସିମେଣ୍ଟ ଅତଡା ଖସୁଛି । ଅର୍ଥାତ୍ କେବଳ ଦୁଇଟି ଶ୍ରେଣୀ ଗୃହ ହିଁ କ୍ଲାସ ପାଇଁ ଉପଯୁକ୍ତ ଭାବେ ଅଛି । ରୋଷେଇ ଘରଟେ ତିଆରି ହୋଇଥିଲେ ମଧ୍ୟ ଦୀର୍ଘଦିନ ହେଲା ନିର୍ମାଣାଧୀନ ରହି ଅଧାପନ୍ତରିଆ ଭାବେ ପଡ଼ି ରହିଛି । ଖେଳପଡିଆରେ ପାଣି ଜମି ଆଣ୍ଠୁଏ ଲେଖା ଘାସ ହେଲାଣି । ଏହିଭଳି ପରିବେଶରେ ଛାତ୍ରଛାତ୍ରୀ କିଭଳି ଶିକ୍ଷା ଗ୍ରହଣ କରୁଥିବେ ତାହା ତାଙ୍କୁ ହିଁ ଜଣା । ଏହି ବିଦ୍ୟାଳୟର ପରିବେଶ ଓ ଶ୍ରେଣୀ ଗୃହକୁ ଦେଖିଲେ, ବିଦ୍ୟାଳୟ ତ ଭଗବାନ ଭରସାରେ ଚାଲିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦି ସହର ମଧ୍ୟରେ ଥାଇ ଏଭଳି ତାହେଲେ ଗାଁର ଅବସ୍ଥା କଣ ତାହା ଅନୁମାନ କରାଯାଇପାରେ । ରାଜ୍ୟରେ ବଦଳିଛି ସରକାର ବଦଳିବ କି ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକର ଅବସ୍ଥା ତାହା ଦେଖିବାକୁ ବାକି ରହିଲା । ସରକାର ଏଥିପ୍ରତି ଦୃଷ୍ଟି ଦେଇ ଯଥା ଶୀଘ୍ର ଏହି ବିଦ୍ୟାଳୟକୁ ଶିକ୍ଷାଦାନ ପାଇଁ ଉପଯୋଗୀ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ଜଣେ ଅଭିଭାବକ ।

Leave A Reply

Your email address will not be published.