ଭାରତ ବନ୍ଦ ପ୍ରଭାବରେ ପ୍ରଭାବିତ ଖପ୍ରାଖୋଲ : ସକାଳୁ ପିକେଟିଂ କରି ଯାନବାହାନ ଚଳାଚଳ ବନ୍ଦ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଅନୁସୂଚିତ ଜାତି (ଏସ୍‌ସି) ଏବଂ ଅନୁସୂଚିତ ଜନଜାତି (ଏସ୍‌ଟି) ସଂରକ୍ଷଣରେ ସ୍ୱଚ୍ଛଳ ବର୍ଗ (କ୍ରିମିଲେୟର) ଉପରେ ସୁପ୍ରିମକୋର୍ଟ ଦେଇଥିବା ରାୟ ବିବାଦ ସୃଷ୍ଟି କରିଛି । ଏହାକୁ ବିରୋଧ କରାଯାଉଛି । ଏହା ବିରୋଧରେ ଦେଶର ବିଭିନ୍ନ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ କରାଯାଇଛି । ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ଖପ୍ରାଖୋଲ ଶାଖା ପକ୍ଷରୁ ଏବଂ ଏଲ୍‌ଡିଏ ତରଫରୁ କୁହାଯାଇଛି ଯେ, ସୁପ୍ରିମକୋର୍ଟଙ୍କ ରାୟ ଅନୁସୂଚିତ ବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ଅକାମୀ କରିଦେବ ଓ ଅଧିକ ସଂଖ୍ୟକ ସାଧାରଣବର୍ଗର ବ୍ୟକ୍ତିମାନେ ଏହା ଦ୍ୱାରା ଉପକୃତ ହେବେ । ସୁପ୍ରିମକୋର୍ଟ ଏସ୍‌ସି, ଏସ୍‌ଟିଙ୍କ ସ୍ଥିତିର ଠିକ୍‌ ଆକଳନ ନକରି ଏବଂ ଏହି ବର୍ଗର ସୁରକ୍ଷା ନିମନ୍ତେ ରହିଥିବା ସାମ୍ବିଧାନିକ ଅନୁଷ୍ଠାନ ଓ ମନ୍ତ୍ରଣାଳୟ ସହ ପରାମର୍ଶ ନକରି ଦେଇଥିବା ରାୟର ପୁନର୍ବିଚାର ପାଇଁ ଦାବି କରାଯାଇଛି । ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ୨ଟି ବ୍ଲକ, ଖପ୍ରାଖୋଲ ଏବଂ ବେଲପଡାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନବଜାର, ସ୍କୁଲକଲେଜ, ଗାଡିମଟର ସବୁ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ପହଞ୍ଚି ପିକେଟିଂ କରିବା ସହିତ ରାସ୍ତାଘାଟ ଦୋକାନ ବଜାର ବନ୍ଦ କରୁଛନ୍ତି । ସେପଟେ ଭାରତ ବନ୍ଦ ଯୋଗୁଁ ଗାଡ଼ି ମୋଟର ଓ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ଛକରେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଖପ୍ରାଖୋଲ ପୋଲିସ ପକ୍ଷରୁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ସେପଟେ ଓଡ଼ିଶାରେ ମିଳିତ କ୍ରିୟାନୁଷ୍ଠାନ କମିଟି ସହ ବିଭିନ୍ନ ରାଜନୈତିକ ଦଳ ଭାରତ ବନ୍ଦକୁ ସମର୍ଥନ ଜଣାଇଛି ।

Leave A Reply

Your email address will not be published.