ମାସିକ ରଚନା ସନ୍ଧ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମଗ୍ର ସମାଜରେ କାୟାବିସ୍ତାର କରିଥିବା ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ ବ୍ୟାପକ ଜନସଚେତନତାର ଆବଶ୍ୟକତା ରହିଛି । କେବଳ ଆମ ଦେଶରେ ନୁହେଁ ଅନେକ ବିକଶିତ ଓ ସମୃଦ୍ଧ ରାଷ୍ଟ୍ରର ଜନତା ମଧ୍ୟ ଏହି ଅନ୍ଧବିଶ୍ୱାସର ଶିକାର ହୋଇ ଧନଜୀବନ ହାନି କରିଥାନ୍ତି । ନିତି ଦିନିଆ ଜୀବନକୁ ସୁଗମ କରିବା, ଆର୍ଥିକ ସ୍ୱଚ୍ଛଳତା ହାସଲ କରିବା, ପଦପଦବୀ ଲାଭ ବା ମାଲିମକଦ୍ଦମାରେ ବିଜୟ ହେବାର ଆଶାରେ ଉଭୟ ପାଠୁଆ ଓ ଅପାଠୁଆ ଲୋକେ ଅନ୍ଧବିଶ୍ୱାସକୁ ଗ୍ରହଣ କରିନେଇଥାନ୍ତି । ସରକାରୀ ବେସରକାରୀ ସ୍ତରରେ ବ୍ୟାପକ ସଚେତନତା, ସ୍କୁଲ, କଲେଜରେ ଉଚିତ୍‌ ଶିକ୍ଷା ଓ ଗଣମାଧ୍ୟମରେ ପ୍ରଚାର ପ୍ରସାର ଫଳରେ ସମାଜରୁ ଏହାକୁ ଦୂର କରାଯାଇ ପାରିବ ବୋଲି ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ, ସାମାଜିକ ଓ ସାଂକୃତିକ ଅନୁଷ୍ଠାନ ‘ରଚନା’ ତରଫରୁ ସ୍ଥାନୀୟ ପିପି ଏକାଡେମୀ ସଭାକକ୍ଷରେ ଆୟୋଜିତ ‘ମାସିକ ରଚନା ସନ୍ଧ୍ୟା’ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି । ‘ରଚନା’ର ସଦସ୍ୟା ସସ୍ମିତା ନେପାକଙ୍କ ସଂଯୋଜନାରେ ଆୟୋଜିତ ‘ଅନ୍ଧବିଶ୍ୱାସ ପ୍ରତି ସାମାଜିକ ସଚେତନତା’ ଶୀର୍ଷକ ଏହି ଆଲୋଚନା ଚକ୍ରରେ କଟକସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ର ସାତ୍ତ୍ୱିକ ଆଚାର୍ଯ୍ୟ, ପି.ପି ଏକାଡେମୀର ଶିକ୍ଷୟିତ୍ରୀ ଧନବନ୍ତି ବରିହା, ଭୀମଭୋଇ ମେଡିକାଲ କଲେଜ ଶିଶୁରୋଗ ବିଭାଗରେ କାର୍ଯ୍ୟରତ ଡାକ୍ତର ନିହାର ପଟ୍ଟନାୟକ ଓ ପ୍ରମେୟ କେବିକେ ସଂସ୍କରଣ ମୁଖ୍ୟ ଅଖିଳ ଚନ୍ଦ୍ର ହୋତା ଆଲୋଚକ ଭାବରେ ଯୋଗଦେଇ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ସାମ୍ନା କରୁଥିବା ବିଭିନ୍ନ ଅନ୍ଧବିଶ୍ୱାସ ଓ ଏହାର କୁପରିଣତି ତଥା ସାଧାରଣ ଜନତା ସାମ୍ନା କରୁଥିବା ବିଭିନ୍ନ ଅନ୍ଧବିଶ୍ୱାସର ଉଦାହରଣ ଦେଇ ସମସ୍ତଙ୍କୁ ସଚେତନ କରିଥିଲେ । ନିକଟରେ ବଲାଙ୍ଗିର ଜିଲ୍ଲାରେ ଘଟିଯାଇଥିବା ଏକ ଅଭାବନୀୟ ଘଟଣା ଯାହାକି ଅନ୍ଧବିଶ୍ୱାସର ଏକ ଭୟଙ୍କର ପରିଣତି ଏହିପରି ଅଭିଯୁକ୍ତଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଓ ଗ୍ରାମାଞ୍ଚଳରେ ସଚେତନତା ଜରୁରୀ ବୋଲି ସମସ୍ତେ ଏକମତ ହୋଇଥିଲେ । ଏହି ସଭାରେ ବଲାଙ୍ଗିରର ଅନେକ ବୁଦ୍ଧିଜୀବୀ, ସାହିତ୍ୟିକ, ସାମାଜିକ କର୍ମୀ, ଛାତ୍ରଛାତ୍ରୀ ଓ ଭଦ୍ରମହିଳା ଯୋଗ ଦେଇଥିଲେ । ଶେଷରେ ‘ରଚନା’ର ସହସମ୍ପାଦକ ରତ୍ନମୟ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.