ଲାଠୋର ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫-ଟି କାମରେ ଦୁର୍ନୀତି ଅଭିଯୋଗ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ରାଜ୍ୟ ସରକାର ୫-ଟି ଅଧୀନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟ ମାନଙ୍କର ରୂପାନ୍ତରଣ କାମ କରୁଛନ୍ତି । ଗୁଣାତ୍ମକ ମାନର ଶିକ୍ଷା ପାଇଁ ଏହି ସ୍ମାର୍ଟ ସ୍କୁଲ ମାନଙ୍କରେ ଅତ୍ୟାଧୁନିକ ଶ୍ରେଣୀ କୋଠରୀ ନିର୍ମାଣ କରାଯାଇଥିବା ବେଳେ ସ୍କୁଲର କଳାପଟା ଠାରୁ ଆରମ୍ଭ କରି ସାଇନ୍ସ ଲ୍ୟାବ, କମ୍ପ୍ୟୁଟର ଲ୍ୟାବ, ଅତ୍ୟାଧୁନିକ ପାଠାଗାର ସହ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହି ବିଦ୍ୟାଳୟ ଗୁଡିକର ରୂପାନ୍ତରିତ କାର୍ଯ୍ୟରେ କିଛି ଅସାଧୁ ଠିକାଦାର ଓ ବିଭାଗର କିଛି ଲାଞ୍ଚୁଆ ଯନ୍ତ୍ରୀ ମାନଙ୍କ ପାଇଁ ବିଦ୍ୟାଳୟର କୋଠା ଗୁଡିକ ଅତି ନିମ୍ନମାନର ନିର୍ମାଣ ହୋଇଥିବା ବେଳେ କେଉଁଠି କାମ ସରିବାର ୬ ମାସ ନପୂରୁଣୁ କୋଠା ଗୁଡିକର ଛାତରୁ ପାଣି ଝରିଲାଣି ତ, ଆଉ କେଉଁଠି କୋଠା ଗୁଡିକର କାନ୍ଥ ସାମାନ୍ୟ ବର୍ଷା ହେଲେ ପାଣି ପଶି ଖରାପ ହେବାକୁ ବସିଲାଣି । ଏମିତି ଏକ ୫-ଟି ଅଧୀନରେ ନିର୍ମାଣ କରାଯାଇଥିବା ବା ରୂପାନ୍ତରିତ କରାଯାଇଥିବା ସ୍ମାର୍ଟ ବିଦ୍ୟାଳୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାର ଉପାନ୍ତ ଅଞ୍ଚଳ ଖପ୍ରାଖୋଲ ବ୍ଲକ ଲାଠୋର ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ । ୧୯୯୭ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ଦ୍ୱାଦଶ କଳା ଓ ବାଣିଜ୍ୟରେ ସମୁଦାୟ ୫୧୨ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପୂର୍ବ ସରକାର ବିଦ୍ୟାଳୟକୁ ୫-ଟି ଯୋଜନାରେ ସାମିଲ କରି ବିଦ୍ୟାଳୟର ରୁପାନ୍ତରିଣ କାମ ପାଇଁ ୨୫ ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ । ସେହି କ୍ରମରେ ଗତ ୨୦୨୩ ମସିହାରେ ସ୍ମାର୍ଟ କ୍ଲାସ ରୁମ, ଇ-ଲାଇବ୍ରେରୀ ଏବଂ ଛାତ୍ରୀ ପ୍ରତିକ୍ଷାଳୟରେ ଶୌଚାଳୟ ନିର୍ମାଣ କାମ ଆରମ୍ଭ କରାଗଲା କିନ୍ତୁ ଗତ ଅକ୍ଟୋବର ମାସରୁ କାର୍ଯ୍ୟ ବନ୍ଦ ଥିବା ଜଣାପଡିଛି । ଏହି ବିଦ୍ୟାଳୟର ନିର୍ମାଣ କାମ ବ୍ଲକରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ପ୍ରତକ୍ଷ ତତ୍ୱାବଧାନରେ ହୋଇଥିବା ବେଳେ କାମଟିକୁ ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କର୍ମଚାରୀ ଠିକାଦାର ଭାବେ କାର୍ଯ୍ୟ କରିଥିବା ଆଲୋଚନା ହେଉଛି । ଆଶ୍ଚର୍ଯ୍ୟର କଥା ଜଣେ ସରକାରୀ କର୍ମଚାରୀ ଠିକାଦାର ସାଜିଥିବା ସମସ୍ତେ ଜାଣି ମଧ୍ୟ କେହି କୌଣସି ପଦକ୍ଷେପ ନେଉ ନ ଥିବା ଅଞ୍ଚଳରେ ପ୍ରଶାସନକୁ ହାସ୍ୟାସ୍ପଦ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ବର୍ତ୍ତମାନ ବିଦ୍ୟାଳୟର କାର୍ଯ୍ୟ ଶେଷ ହୋଇନଥିବା ବେଳେ ଚଳିତ ବର୍ଷାମାସ ବିଦ୍ୟାଳୟ ଛାତରେ ପାଣି ଜମି ରହିବା ସହ ବିଦ୍ୟାଳୟର କାନ୍ଥ ଗୁଡିକରୁ ପାଣି ବାହାରୁଛି । ଏହାସହ ଛାତ କାମଟି ଏତେ ନିମ୍ନମାନର ହୋଇଛି ଯେ, ଛାତରେ ହାତ ମାରିଦେଲେ ସିମେଣ୍ଟ ଗୋଡି ବଦଳରେ କେବଳ ବାଲି ହିଁ ବାହାରୁଛି । ଯାହାପାଇଁ ଏହି ବିଦ୍ୟାଳୟର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ଏହି ବିଦ୍ୟାଳୟ ନିର୍ମାଣ କାର୍ଯ୍ୟରେ ସମୃକ୍ତ ଯନ୍ତ୍ରୀଙ୍କ ଉପସ୍ଥିତିରେ ବ୍ୟାପକ ଦୁର୍ନୀତି ହୋଇଥିବା ଓ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟଟି ଅତି ନିମ୍ନମାନର ହୋଇଥିବା ଅଭଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦାଙ୍କ ସହ ଅଭିଭାବକମାନେ । ଏହି ନିମ୍ନମାନର କାର୍ଯ୍ୟ ପାଇଁ ଦାୟିତ୍ୱରେ ଥିବା ସମ୍ପୃକ୍ତ ଯନ୍ତ୍ରୀ ଓ ଯନ୍ତ୍ରୀଙ୍କ ସହ ମିଶି ନିମ୍ନମାନର କାର୍ଯ୍ୟ କରିଥିବା ସମ୍ପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ ଦୃଢ଼ କର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଲାଠୋର ଗାଁର ଜନସାଧାରଣ ଓ ବୁଦ୍ଧିଜିବୀ ମାନେ ।

Leave A Reply

Your email address will not be published.