ସୁବର୍ଣ୍ଣପୁରରେ ସୂଚନା ଦେଲେ ଆଇଜି ହିମାଂଶୁ ଲାଲ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚୁଲିମାଲରେ ପୋଲିସ କନେଷ୍ଟବଳଙ୍କ ବନ୍ଧୁକରୁ ଗୁଳି ଫୁଟି ୨ ମୃତ ଘଟଣାରେ ଅତ୍ୟଧିକ ମଦ୍ୟପାନ କରି ନିଜେ ଗୁଳି ଫୁଟାଇ ଥିଲେ ମୃତକ । ପ୍ରଥମେ ଶେଷଦେବଙ୍କୁ ବାଜିଥିଲା ଗୁଳି ଓ ପରେ ପିଏସ୍‌ଓ ମନୋଜ ନିଜକୁ ନିଜେ ଗୁଳି କରିଥିବା ସ୍ପଷ୍ଟ କଲା ପୋଲିସ୍‌ । ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ସୁବର୍ଣ୍ଣପୁର ଆଇଜି ହିମାଂଶୁ ଲାଲ । ୧୭ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ତଦନ୍ତ କରିଥିଲା ପୋଲିସ । ଏବେ ମଧ୍ୟ ତଦନ୍ତ ଜାରି ରହିଥିବା ସୂଚନା । ପୋଲିସର ସୂଚନା ଅନୁସାରେ ଗତ ୬ ତାରିଖରେ ବିନିକା ଥାନା ଚୁଲିମାଲ୍‌ ଗାଁରେ ଘଟିଥିଲା ଏଭଳି ଏକ ଲୋମହର୍ଷଣକାରୀ ଘଟଣା । ସ୍ତବ୍ଧ ହୋଇଯାଇଥିଲା ସାରା ଅଂଚଳ । ବିଧାୟକ ନିରଞ୍ଜନ ପୂଜାରୀଙ୍କ ପିଏସ୍‌ଓ ମନୋଜ ଝାଙ୍କର ଚୁଳିମାଲ ଖେଳ ପଡ଼ିଆରେ ସାଙ୍ଗମାନଙ୍କ ସହିତ ମଦ୍ୟପାନ କରିଥିଲେ । ଅତ୍ୟଧିକ ନିଶା ହୋଇଥିବାରୁ ସାଙ୍ଗରେ ଥିବା ତାଙ୍କ କକା ପୁଅ ଭାଇ ଶେଷଦେବ ମନୋଜଙ୍କ ସର୍ଭିସ୍‌ ରିଭଲବର୍‌ ଛଡ଼ାଇ ନେଇ ପ୍ରଥମେ ଫାଙ୍କା ଗୁଳି ଚାଳନା କରିଥିଲେ । ଏହାକୁ ଦେଖି ମନୋଜ ତାଙ୍କ ଠାରୁ ବନ୍ଧୁକ ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ପୁଣି ଏକ ଗୁଳି ଫାୟାର୍‌ ହୋଇ ଶେଷଦେବଙ୍କ ମୁଣ୍ଡରେ ବାଜିଥିଲା । ଫଳରେ ସେଠାରେ ଟଳି ପଡ଼ିଥିଲେ ଶେଷଦେବ । ଏହା ଦେଖି ମନୋଜ ନିଜେ ନିଜକୁ ସୁଟ୍‌ କରି ଦେଇଥିବା ତଦନ୍ତରୁ ଜଣାପଡ଼ିଥିବା ପୋଲିସ ସୂଚନା ଦେଇଛି । ସେହି ସ୍ଥାନରୁ ୭ଟା ଖୋକା ମିଳିଥିବା ବେଳେ ୨ଟି ଜୀବନ୍ତ ଗୁଳି ଉଦ୍ଧାର ହୋଇଥିବା ପୋଲିସ ସ୍ପଷ୍ଟ କରିଛି । ତେବେ ଘଟଣାରେ ଆଉ କାହାରି ସଂପୃକ୍ତି ନଥିବା ସ୍ପଷ୍ଟ କରିଛି ପୋଲିସ । ତା’ ସହିତ ଅଧିକ ତଦନ୍ତ ଚାଲିଥିବା ମଧ୍ୟ ସୂଚନା ମିଳିଛି । ଏନେଇ ପଶ୍ଚିମାଂଚଳ ଆଇଜି ହିମାଂଶୁ ଲାଲ ଓ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ୟସ୍‌ ପ୍ରତାପ ଶ୍ରିମଲ୍‌ ଜିଲ୍ଲା ପୋଲିସ୍‌ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.