ମୃତକଙ୍କ ପରିବାରକୁ ଭେଟି ସହାୟତାର ହାତ ବଢ଼ାଇଲେ କପିଲାଭଟା ପଞ୍ଚାୟତର ଯୁବ ସମିତି ସଭ୍ୟ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗାଁର ମୃତକଙ୍କ ପରିବାରକୁ ଭେଟି ସହାୟତାର ହାତ ବଢ଼ାଇଛନ୍ତି କପିଲାଭଟା ଗ୍ରାମ ପଞ୍ଚାୟତର ଯୁବ ସମିତି ସଭ୍ୟ କେଦାର ଭୋଇ । ସୂଚନା ଅନୁସାରେ, କପିଲାଭଟା ଗାଁର ଭିକାରୀ ହଂସ ଗତ କିଛି ଦିନ ତଳେ କୌଣସି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ପରିବାରର ମୁଖ୍ୟାଙ୍କ ମୃତ୍ୟୁ ପରେ ପରିବାର ଲୋକେ ବେସାହାରା ହୋଇଯାଇଛନ୍ତି । ପରିବାରରେ ତାଙ୍କ ସ୍ତ୍ରୀ ରାଣୀଫୁଲ ହଂସଙ୍କ ସହ ୩ ଜଣ ପୁଅ ଥିବା ଜଣାପଡିଛି । ମୃତକ ଗାଁରେ କୁଳି ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ ଏବେ ତାଙ୍କର ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଏହି ଖବର ପାଇଁ ମୃତକଙ୍କ ପରିବାର ନିକଟରେ ପହଞ୍ଚି ଆର୍ଥିକ ସହାୟତା ସହ କିଛି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଯେଉଁ ଦିନ ପର୍ଯ୍ୟନ୍ତ ବିଧବା ଭତ୍ତା ସରକାରଙ୍କ ପକ୍ଷରୁ ନମିଳିବ ସେତେ ଦିନ ପର୍ଯ୍ୟନ୍ତ ନିଜ ହାତରୁ ପ୍ରତ୍ୟେକ ମାସରେ ଭତ୍ତା ପ୍ରଦାନ କରିବେ ବୋଲି ଶ୍ରୀ ଭୋଇ ପ୍ରତିଶୃତି ଦେଇଛନ୍ତି । ଆଗାମୀ ଦିନରେ ଏହି ଭଳି କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି । ଶ୍ରୀ ଭୋଇଙ୍କ ଏଭଳି କାର୍ଯ୍ୟକୁ ଦେଖି ବିଭିନ୍ନ ମହଲରେ ପ୍ରଶଂଶା କରାଯାଇଛି । ଏ ସମ୍ପର୍କରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠିଙ୍କୁ ଯୋଗାଯୋଗ କରିବାରୁ, ଆଗାମୀ ଦିନରେ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଏହି ଗରିବ ପରିବାରକୁ ତୁରନ୍ତ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଁ ସାହାଜି ଯୁବକ ସଂଘ ସହ ଗ୍ରାମବାସୀ ପକ୍ଷରୁ ଦାବି କରାଯାଇଛି ।

Leave A Reply

Your email address will not be published.