ଉପରବାହାଲ ତ୍ରିଶୂଳ ବନ୍ଧର ମାଟି କାମରେ ଦୁର୍ନୀତି ଅଭିଯୋଗ : ଭୁଶୁଡ଼ି ପଡିଛି ନିର୍ମାଣଧିନ ଗାର୍ଡୱାଲ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଉପରବାହାଲ ଗ୍ରାମରେ ଥିବା ତ୍ରିଶୂଳ ବନ୍ଧରେ ନିର୍ମାଣ ହୋଇଥିବା ଗାର୍ଡୱାଲ ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି । ଉକ୍ତ ବନ୍ଧରେ ହୋଇଥିବା ମାଟି କାମରେ ମଧ୍ୟ ଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ନିର୍ମାଣଧିନ ଗାର୍ଡୱାଲ ଅତି ନିମ୍ନମାନର କାର୍ଯ୍ୟ ହୋଇଥିବା ଯୋଗୁଁ ଭୁଶୁଡି ପଡିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଉକ୍ତ ବନ୍ଧରେ ମାଟିକାମ କରା ନଯାଇ କେମିତି ୯ଲକ୍ଷ ଟଙ୍କା ବିଲ୍‌ କରାଗଲା ବୋଲି ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବନ୍ଧରେ ପଙ୍କ ଉଦ୍ଧାର କରା ନଯାଇ ସେହି କାମ ପାଇଁ ମଧ୍ୟ ୯ ଲକ୍ଷ ଟଙ୍କା ବିଲ୍‌ ହୋଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଉକ୍ତ ବିଷୟରେ ଖବରପାଇ ସତ୍ୟାସତ୍ୟ ଜାଣିବା ପାଇଁ ଗ୍ରାମର ବନ୍ଧକୁ ଯାଇ ଗ୍ରାମବାସୀଙ୍କ ପ୍ରତିକ୍ରିୟା ନେବାରୁ ଜଣାପଡିଲା ଯେ, ପ୍ରକୃତରେ ଗାର୍ଡୱାଲଟି ଭାଙ୍ଗିଯିବା ସହ ଅଧା ମାଟି ପଡି ବଙ୍କା ହୋଇଯାଇଛି । ଉକ୍ତ ବନ୍ଧରେ ୨ଟି ପୃଥକ ପୃଥକ ସୂଚନା ଫଳକ ଥିବାର ଦେଖିବାକୁ ମିଳିଛି । ଉଭୟ ସୂଚନା ଫଳକରେ ସର୍ବମୋଟ ୧୮ ଲକ୍ଷ ଟଙ୍କାର କାମ ହୋଇଥିବା ଦର୍ଶାଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ଅଭିଯୋଗ କରନ୍ତି ଯେ, ସରପଂଚଙ୍କ ପ୍ରତିନିଧି ନିଜେ ଠିକାଦାର ସାଜି ଅତି ନିମ୍ନମାନର କାମ କରିବା ଯୋଗୁଁ ଗାର୍ଡୱାଲ ଭୁଶୁଡି ପଡିଥିବା ବେଳେ ବନ୍ଧରେ ପଙ୍କ ଉଦ୍ଧାର କରା ନଯାଇ ମଧ୍ୟ ବିଲ୍‌ କରି ଆତ୍ମସାତ କରିଥିବା ପ୍ରକାଶ କରନ୍ତି । ଏ ବିଷୟରେ ସ୍ଥାନୀୟ ସରପଂଚଙ୍କୁ ଯୋଗାଯୋଗ କରିବାରୁ ପ୍ରତିକ୍ରିୟାରେ ମୁଁ ମେଡିକାଲ୍‌ କାମରେ ଭୁବନେଶ୍ଵର ଆସିଛି ବୋଲି କହିଥିବା ଜଣାପଡ଼ିଛି । ଗ୍ରାମବାସୀ ପ୍ରଶାସନ ନିକଟରେ ଦାବୀ କରିଛନ୍ତି ଯେ, ଏହା ଉପରେ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ବିହିତ ପଦକ୍ଷେପ ନିଆଯାଉ ।

Leave A Reply

Your email address will not be published.