ପୁଣି ଅଡ଼ୁଆରେ ପାଟଣାଗଡ଼ ବିଧାୟକ : ତାଙ୍କ କୋଠା ନିର୍ମାଣ ବେଳେ ବିଦ୍ୟୁତ ସଂସ୍ପର୍ଶରେ ଶ୍ରମିକଙ୍କ ପ୍ରାଣହାନୀ : ଜ଼ିଲ୍ଲା ଆଦିବାସୀ ସଂଘ ୫୦ ଲକ୍ଷ କ୍ଷତିପୂରଣ ଦାବୀ କଲା

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆଜି ସକାଳେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଘରକାମ କରୁଥିବା ସମୟରେ ଚଙ୍ଗିରିଆ ଗାଁର ଡିଙ୍ଗର ବରିହା ୪୬ ବର୍ଷର ଜଣେ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବରରୁ ଜଣାଯାଏ, ଆଜି ସକାଳେ ପାଟଣାଗଡ଼ ବିଧାୟକଙ୍କ ଛାତ ସ୍ଲାପ ଖୋଲୁଥିବା ସମୟରେ ନିକଟରେ ଯାଇଥିବା ୧୧ କେଭି ଲାଇନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଡିଙ୍ଗରଙ୍କ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ପାଟଣାଗଡ଼ ଡାକ୍ତର ଖାନାରେ ଡିଙ୍ଗର ବରିହାକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଶବକୁ ଡାକ୍ତରଖାନାରେ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିବାର ଲୋକେ ପହଞ୍ଚି ନାହାନ୍ତି ।

ବିଧାୟକ ସରୋଜ ମେହେରଙ୍କ ପିଛା ଛାଡ଼ୁନି ଅଡୁଆ । ଗୋଟିଏ ଅଡ଼ୁଆ ନ ତୁଟୁଣୁ ଆଉ ଏକ ଅଡ଼ୁଆ ଠିଆ । ଆଜି ୧୧ କେ.ଭି. ଲାଇଭ ଲାଇନ ପାଖରେ ବିଧାୟକଙ୍କ ମାଲିକାନାରେ ଥିବା ୩ ମହଲା କୋଠା ନିର୍ମାଣ କାମରେ ନିୟୋଜିତ ଥିବା ଜଣେ ନିର୍ମାଣ ଶ୍ରମିକ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛ‌ନ୍ତି । ଡିଙ୍ଗର ବରିହା ନାମକ ଆଦିବାସୀ ଶ୍ରମିକ‌ଙ୍କ ମୃତ୍ୟୁ ହୋଇଥିବା ବେଳେ ପାଟଣାଗଡ଼ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି ।

ସାଧାରଣରେ ଆଲୋଚନା ହେଉଛି, ୧୧ କେ.ଭି. ଲାଇଭ ଲାଇନ ପାଖରେ ତିନି ତାଲା ବିଲ୍‌ଡିଙ୍ଗ ନିର୍ମାଣ କରୁଥିବା ଘର ମାଲିକ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଘର ନିର୍ମାଣ ପାଇଁ ବିଦ୍ୟୁତ ବିଭାଗ କର୍ତୃପକ୍ଷଙ୍କ ଠାରୁ ଆଗତୁରା ଅନୁମତି ନେବା ଉଚିତ ଥିଲା । ବିଲଡିଂ ନିର୍ମାଣ ସମୟରେ ୧୧ କେ.ଭି. ଲାଇଭ ବିଦ୍ୟୁତ ସଂଯୋଗ ବିଛିନ୍ନ କରିବାର ନିୟମ ମଧ୍ୟ ରହିଥିବା ଆଲୋଚନା ହେଉଛି । ବିଦ୍ୟୁତ ତାର ଏବଂ ପୋଲକୁ ଅନ୍ୟତ୍ର ସିଫ୍ଟ କରିବା ନିୟମ ରହିଥିଲେ ବି ବିଧାୟକ ତାଙ୍କ କ୍ଷମତାର ଅପବ୍ୟବହାର କରି ଲାଇନ ସିଫ୍ଟ ନ କରି, ବିଦ୍ୟୁତ ସଂଯୋଗ ବି‌ଚ୍ଛି‌ନ୍ନ ନ କରି, ଜୀବନ୍ତ ବିଦ୍ୟୁତ ତାର ଲାଗିଥିବା ସ୍ଥାନରେ ତିନି ତାଲା କୋଠା ଘର ନିର୍ମାଣ କରିବା ଦ୍ୱାରା ନିର୍ମାଣ ଶ୍ରମିକ ଡିଙ୍ଗର ବରିହାଙ୍କ ମୃତ୍ୟୁ ହୋଇଥିବା ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି । ବିଧାୟକଙ୍କ ଯୋଗୁଁ ହିଁ ଏହି ଶ୍ରମିକ ଜଣକ ଏପରି ବିପଦସଙ୍କୁଳ ଅବସ୍ଥାରେ କାମ କରିଥିବା ଲୋକେ ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ଜ଼ିଲ୍ଲା ଆଦିବାସୀ ସଂଘ ସାମ୍‌ନାକୁ ଆସିଛି । ଜ଼ିଲ୍ଲା ଆଦିବାସୀ ସଂଘ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଗିରଫ ଦାବୀ କରିଥିବା ବେଳେ ମୃତ ଶ୍ରମିକଙ୍କ ପରିବାରକୁ ପଚାଶ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଦାବୀ କରିଛି ।

2 Comments
  1. Giri says

    ପ୍ରଥମେ ତ ୩ ମହଳା କୋଠା ନୁହେଁ।ଥାନାରେ ଅପମୃତ୍ଯୁ ମାମଲା ରୁଜୁ ହୋଇଥିବା ସହିତ ପରିବାର ବର୍ଗ କାହାକୁ ଦାୟୀ କରି ନ ଥିବା ଜଣାପଡିଛି । ନିଜସ୍ବ ସ୍ବାର୍ଥ ପାଇଁ କିଛି ସଂଗଠନ ରାଜନୈତିକ ଫାଇଦା ପାଇଁ ଘଟଣାକୁ ବଢାଇବା ସହିତ କେବଳ ଫେସବୁକ ଜରିଆରେ ୫୦ ଲକ୍ଷ ଟଙ୍କା ଦାବି କରୁଛନ୍ତି। ଫେସବୁକ ପୋଷ୍ଟ ଦେଖି ନ୍ଯୁଜ କରନ୍ତୁ ନାହିଁ। ସତ୍ଯତା ସହିତ ଗ୍ରାଉଣ୍ଡ ଜିରୋକୁ ଯାଇ ନ୍ଯୁଜ କରିବାକୁ ଅନୁରୋଧ।

    1. Koshala Prabaha says

      ok

Leave A Reply

Your email address will not be published.