ଗରିବ ସାନ୍ତାଳ ଆଦିବାସୀ ପୁଅ ମୋହନ ଚରଣ ମାଝୀ ଆଜି ମୁଖ୍ୟମନ୍ତୀ

ଭୁବନେଶ୍ୱର : ଗଣତନ୍ତ୍ରର ମହାନ୍‌ ଚମକ୍ରାରିତାରେ ଆଜି ଓଡ଼ିଶା ମାଟି ଚମକି ଯାଇଛି । ଗରିବ ସାନ୍ତାଳ ଆଦିବାସୀ ପୁଅ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ରାଜ୍ୟର ପଞ୍ଚଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଗତକାଲି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଠାରେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କ ନାମ ମୁଖ୍ୟମନ୍ତ୍ରୀ ପଦ ପାଇଁ ଘୋଷଣା ହୋଇଛି । ଏଥି ସହିତ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ ଏବଂ ନିମାପଡ଼ା ବିଧାୟକ ପ୍ରଭାତୀ ପରିଡ଼ାଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । ତେବେ ବିଧାୟକ ଦଳ ବୈଠକ ପରେ ମହାମହିମ ରାଜ୍ୟପାଳଙ୍କ ପାଖକୁ ପହଂଚି ସରକାର ଗଠନ ପାଇଁ ଦାବି କରିଛନ୍ତି ବିଜେପି ତୁଙ୍ଗ ନେତା ସମୂହ । ମୋହନ ଚରଣ ମାଝୀ ସରସ୍ୱତୀ ଶିଶୁ ମନ୍ଦିରରେ ଦିନେ ଆଚାର୍ଯ୍ୟ ଭାବେ ଆରମ୍ଭ କରିଥିଲେ ତାଙ୍କ ବୃତ୍ତିଗତ ଜୀବନ । ଏହାପରେ ସେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ସରପଞ୍ଚରୁ ଆଜି ମୁଖ୍ୟମନ୍ତ୍ରୀ ପଦ ପାଇଁ ମନୋନୀତି ହୋଇଛନ୍ତି ମୋହନ ମାଝୀ । କେନ୍ଦୁଝର ବିଧାନସଭା କ୍ଷେତ୍ରରୁ ସେ ୪ ଥର ବିଧାୟକ ହୋଇଥିଲେ । ବିଜେପି ଓଡ଼ିଶା ଏସ୍‌ଟି ମୋର୍ଚ୍ଚାର ସେ ସାଧାରଣ ସଂପାଦକ ଦାୟିତ୍ୱରେ ରହିଥିଲେ । ପୂର୍ବ ବିଧାନସଭାରେ ମୋହନ ମାଝୀ ବିରୋଧୀ ଦଳ ମୁଖ୍ୟ ସଚେତକ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ଅପରାହ୍ନରେ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ସମାରୋହରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ବିଜେପିର ତୁଙ୍ଗ ନେତାମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.