ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ) ଅଧୀନରେ ୩ କୋଟି ଗ୍ରାମୀଣ ଓ ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବେ ସରକାର

ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏୱାଇ) ଅଧୀନରେ ୩ କୋଟି ଗ୍ରାମୀଣ ଓ ସହରାଞ୍ଚଳ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବେ କେନ୍ଦ୍ର ସରକାର । କେନ୍ଦ୍ର କ୍ୟାବିନେଟ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛି । ଯୋଗ୍ୟ ଗ୍ରାମୀଣ ଓ ସହରାଞ୍ଚଳ ପରିବାରକୁ ମୌଳିକ ସୁବିଧା ସହ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବା ଲାଗି ଭାରତ ସରକାର ୨୦୧୫-୧୬ରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରି ଆସୁଛନ୍ତି । ପିଏମ୍‌ଏୱାଇ ଅଧୀନରେ, ଗତ ୧୦ ବର୍ଷ ମଧ୍ୟରେ ଆବାସ ଯୋଜନା ଅନ୍ତର୍ଗତ ଯୋଗ୍ୟ ଗରିବ ପରିବାର ପାଇଁ ମୋଟ ୪ କୋଟି ୨୧ ଲକ୍ଷ ଘର ସମ୍ପୂର୍ଣ୍ଣ ହୋଇଛି । ପିଏମ୍‌ଏୱାଇ ଅଧୀନରେ ନିର୍ମିତ ସମସ୍ତ ଘରକୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ଯୋଜନା ସହିତ ସମନ୍ୱୟ ମାଧ୍ୟମରେ ଘରୋଇ ଶୌଚାଳୟ, ଏଲ୍‌ପିଜି ସଂଯୋଗ, ବିଦ୍ୟୁତ୍ ସଂଯୋଗ, କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ୍ ସଂଯୋଗ ଇତ୍ୟାଦି ମୌଳିକ ସୁବିଧା ଯୋଗାଇ ଦିଆଯାଇଥାଏ । ଯୋଗ୍ୟ ପରିବାର ସଂଖ୍ୟା ବୃଦ୍ଧି କାରଣରୁ ସୃଷ୍ଟି ହୋଇଥିବା ଗୃହ ଆବଶ୍ୟକତା ପୂରଣ କରିବା ପାଇଁ ୩ କୋଟି ଅତିରିକ୍ତ ଗ୍ରାମୀଣ ଓ ସହରାଞ୍ଚଳ ପରିବାରକୁ ଘର ନିର୍ମାଣ ପାଇଁ ସହାୟତା ପ୍ରଦାନ କରିବାକୁ ଆଜିର କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.