ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ଖପ୍ରାଖୋଲ ବ୍ଲକ ସରକାରୀ ସ୍କୁଲ ମାନଙ୍କର ଗୁଣାତ୍ମକ ଶିକ୍ଷାର ଅସଲ ରୁପକୁ ପଦାରେ ପକାଇଛି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ରହିଥିବା ୨୧ ଗୋଟି ସରକାରୀ ସ୍କୁଲର ଛାତ୍ରଛାତ୍ରୀ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏ-୧ କିମ୍ବା ଏ-୨ ଗ୍ରେଡ ଛୁଇଁ ପାରି ନାହାନ୍ତି । ସରକାର ବିଦ୍ୟାଳୟ ଗୁଡ଼ିକୁ ରୁପାନ୍ତରିକରଣ କରି ପୁସ୍ତକଗାର, ବିଜ୍ଞାନଗାର ନିର୍ମାଣ ସହ ସ୍ମାର୍ଟ କ୍ଲାସ୍‌ ରୁମ୍‌ରେ ଶିକ୍ଷା ଦାନର ବ୍ୟବସ୍ଥା କରିଥିଲେ ମଧ୍ୟ ତାହା ନିରର୍ଥକ ସାଜିଥିବା ଚର୍ଚ୍ଚାର ବିଷୟ ହୋଇଛି । ବର୍ଷ ବର୍ଷ ଧରି ଭଲ ଫଳାଫଳ କରି ବେଶ ସୁନାମ ଅର୍ଜନ କରୁଥିବା ସ୍କୁଲ ଗୁଡିକର ମଧ୍ୟ ଫଳାଫଳ ଏଥର ନିରାଶଜନକ ହୋଇଛି । ଶିକ୍ଷକମାନେ ଶିଶୁର ଦ୍ୱିତୀୟ ମାର୍ଗଦର୍ଶକ ବୋଲି କୁହାଯାଏ । ଶିଶୁର ମାଆ ପ୍ରଥମ ମାର୍ଗଦର୍ଶିକା ହୋଇଥିବା ବେଳେ ଘର ବାହାରେ ଶିକ୍ଷକ ହିଁ ପିଲାଟିକୁ ବିଦ୍ୟାଳୟରେ ମଣିଷ କରି ଗଢି ତୋଳିଥାନ୍ତି କିନ୍ତୁ ଚଳିତ ବର୍ଷ ଖପ୍ରାଖୋଲ ବ୍ଲକରେ କେହିବି ଏ -୧ କିମ୍ବା ଏ -୨ରେ ପାସ୍‌ ନ କରିବା ସ୍କୁଲମାନଙ୍କର ଗୁଣାତ୍ମକ ଶିକ୍ଷାର ଅସଲ ରୁପକୁ ପଦାରେ ପକାଇଦେଇଛି । ଏଥର ଖପ୍ରାଖୋଲ ବ୍ଲକର ୨୨ଟି ସରକାରୀ ଉଚ୍ଚ ବିଦ୍ୟାଳୟର ୧୬୩୯ ଜଣ ଛାତ୍ରଛାତ୍ରୀ ୧୧ଟି ପରୀକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ । ସେଥିରୁ ୧୬୦୩ ଜଣ ପାସ୍‌ ଏବଂ ୩୬ ଜଣ ଫେଲ୍‌ କରିଥିବା ବେଳେ ଏ – ୧ ଏବଂ ଏ -୨ ଗ୍ରେଡ଼ କୌଣସି ଛାତ୍ରଛାତ୍ରୀ ହାସଲ କରିପାରି ନାହାନ୍ତି । ପରୀକ୍ଷା କେନ୍ଦ୍ର ଗୁଡିକରେ କ୍ୟାମେରା ଲଗାଯିବା ତଥା ଶିକ୍ଷାବିଭାଗ ପରୀକ୍ଷା କେନ୍ଦ୍ରମାନଙ୍କରେ ପର୍ଯ୍ୟବେକ୍ଷକ ମାନଙ୍କୁ ନିୟୋଜିତ କରାଯିବା ଫଳରେ କପି କାରବାରରେ ନିୟନ୍ତ୍ରଣ ହୋଇଥିବାରୁ ପରୀକ୍ଷା ଫଳାଫଳରେ ପ୍ରତିଫଳିତ ହୋଇଥିବା ସାଧାରଣରେ ଆଲୋଚନା ହେଉଛି । ଛାତ୍ରଛାତ୍ରୀ ଉଚ୍ଚ ଗ୍ରେଡ୍‌ ରଖି ପାସ୍‌ କରି ନଥିବା ହେତୁ ଆଗକୁ ଭଲ ଶିକ୍ଷାଅନୁଷ୍ଠାନ ମାନଙ୍କୁ ପାଠ ପଢିବା ସୁଯୋଗରୁ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଛାତ୍ରଛାତ୍ରୀଙ୍କ ଗ୍ରେଡ୍‌କୁ ନେଇ ଖପ୍ରାଖୋଲ ଏବିଇଓ ତଥା ବିଆରସିସି ରୁଦ୍ରଦେବ ଷଡ଼ଙ୍ଗୀଙ୍କୁ ପଚାରିବାରୁ ଚଳିତ ବର୍ଷ ଜିଲ୍ଲାରୁ ଆରମ୍ଭ କରି ରାଜ୍ୟର ଅନେକ ସରକାରୀ ସ୍କୁଲମାନଙ୍କର ଦଶମ ଶ୍ରେଣୀର ପରୀକ୍ଷା ଫଳାଫଳ ନିରାଶଜନକ ହୋଇଛି ଏବଂ ଏହା କିପରି ହେଲା ତାହା ତର୍ଜମା ଚାଲିଛି ବୋଲି ପ୍ରକାଶ କରିଥିଲେ । ସେହିପରି ଖପ୍ରାଖୋଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଶଙ୍କର ପ୍ରସାଦ ମାଝୀଙ୍କୁ ପଚାରିବାରୁ ଛାତ୍ରଛାତ୍ରୀ ମାନେ ପାଠ ପଢ଼ିବାରେ ଅଧିକ ସମୟ ନଦେଇ ମୋବାଇଲରେ ଗେମ୍‌ ଖେଳିବା ସହ ଅନ୍ୟାନ୍ୟ କାମରେ ଅଧିକା ସମୟ ଦେଉଛନ୍ତି ଏବଂ ଅଭିଭାବକମାନେ ଏଦିଗରେ ଦୃଷ୍ଟି ଦେଇ ନିଜ ନିଜ ଛୁଆଙ୍କୁ ପାଠ ପଢିବାରେ କିପରି ମନଯୋଗ ଦେବେ ତାହା ଚେଷ୍ଟା କରିବା କଥା ବୋଲି କହିଥିଲେ ।

Leave A Reply

Your email address will not be published.