ଟାଟା ପାୱାର ଦ୍ୱାରା ସ୍ମାଟ୍‌ ମିଟର ଲଗାଣକୁ ବଲାଙ୍ଗିର ନାଗରିକ କମିଟିର ବିରୋଧ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡ. ଶ୍ରୀକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ କମିଟି ବୈଠକରେ ସାଧାରଣ ସଂପାଦକ ମଧୁସୁଦନ ନାୟକ ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ । ଟାଟା ପାୱାର ଜୋର ଜବରଦସ୍ତ ସ୍ମାଟ ମିଟର ଲଗାଉଥିବା ବିଷୟରେ ଅସନ୍ତୋଷ ପ୍ରକାଶ କରିବା ସହିତ କାର୍ଯ୍ୟକାରୀ କମିଟିର ପ୍ରାୟ ସମସ୍ତ ସଦସ୍ୟ ଅଭିଯୋଗ ଆଣିଥିଲେ କି ଏହା ଟାଟା ପାୱାରର ସରଳ ଜନସାଧାରଣଙ୍କ ଉପରେ ଏକ ପ୍ରକାର ଅତ୍ୟାଚାର ସଦୃଶ ଅଟେ । ଜନସାଧାରଣଙ୍କୁ ଭୁଆଁ ବୁଲେଇ ଅଥବା ଭୟ ଦେଖାଇ ଟାଟା ପାୱାର ତାର ସ୍ୱାର୍ଥ ହାସଲ କରିବାକୁ ଚାହୁଁଛି । ଏହା ଅଗଣତାନ୍ତ୍ରିକ ଓ କୌଣସି ପ୍ରକାର ଗ୍ରହଣୀୟ ନୁହେଁ । ତେଣୁ ଏହାର ପ୍ରତିବାଦ କରାଯିବା ଉଚିତ୍‌ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଆଗାମୀ ଜୁନ ୧ ତାରିଖରେ ଏ ବିଷୟରେ ସାଧାରଣ ପରିଷଦ ବୈଠକରେ ଆଲୋଚନା ହେବା ପରେ ଜୁନ୍‌ ୩ ତାରିଖରେ ଇଲେକ୍ଟ୍ରିକାଲ୍‌ ସୁପରିଟେଣ୍ଡିଂ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧର୍ମଘଟ ସହିତ ମେମୋରେଣ୍ଡମ୍‌ ଦିଆଯିବାକୁ ନିର୍ଦ୍ଧାରଣ କରାଯାଇଛି । ଏହା ପରେ ସହରରେ ପ୍ରଦୂଷଣ ଜନିତ ସମସ୍ୟା, ନାଗରିକ କମିଟିର କାର୍ଯ୍ୟାଳୟ ସକାଶେ ଜମି ବ୍ୟବସ୍ଥା, ବୃକ୍ଷ ରୋପଣ, ବିଦ୍ୟୁତ୍‌ ବିଭାଗ ଦ୍ୱାରା ଅନାବଶ୍ୟକ ବୃକ୍ଷ ଛେଦନ, କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥାପିତ ଫିଜିଓଥେରାପି କେନ୍ଦ୍ରରେ ଅଧିକ ଫି ଗ୍ରହଣ, ବଲାଙ୍ଗିର ସରକାରୀ ଆୟୁର୍ବେଦ ଫାର୍ମାସିକୁ ଚରମ ଅବହେଳା ପ୍ରଭୃତି ସମସ୍ୟା ଓ ତାର ସମାଧାନ ଦିଗରେ ବିଭିନ୍ନ ପ୍ରସ୍ତାବ ସହିତ ବିଷଦ ଆଲୋଚନା ହୋଇଥିଲା । ଶେଷରେ ସହ ସଂପାଦକ ସୁନିଲ ଚନ୍ଦ୍ର ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.