ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବିଳମ୍ବ ନେଇ ରାଉରକେଲା ଓକିଲ ସଂଘର ଉଦ୍‌ବେଗ : ପ୍ରତିକାର ଦାବିରେ ଡି ଆର୍‌ଏମ୍‌ଙ୍କୁ ସ୍ମାରକପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ଜନସାଧାରଣ ନିର୍ଭର କରୁଥିବା ଯାତ୍ରୀବାହୀ ଟ୍ରେନ୍ ଯଥା ତପସ୍ଵିନୀ ଏକ୍ସପ୍ରେସ, ରାଜ୍ୟରାଣୀ ଏକ୍ସପ୍ରେସ, ଭୁବନେଶ୍ଵର – ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ, ସମଲେଶ୍ଵରୀ ଏକ୍ସପ୍ରେସ ଟ୍ରେନ୍‌ ଗୁଡ଼ିକର ଯାତାୟାତରେ ବିଗତ କିଛି ଦିନ ହେବ ଅହେତୁକ ବିଳମ୍ବ ଯୋଗୁଁ ସାଧାରଣ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଭୁବନେଶ୍ଵର ଇଣ୍ଟରସିଟି ଏକ୍ସପ୍ରେସ ରାଉରକେଲାରେ ରାତି ୯ଟା ପହଞ୍ଚିବା ବଦଳରେ କେଉଁ ଦିନ ରାତି ୧୧ଟା ବେଳେ ପହଞ୍ଚିବା ବେଳେ ଦୁଇଦିନ ତଳେ ରାତି ୧୨ଟାରେ ପହଞ୍ଚିଛି । ପାନପୋଷ ଓ କଲୁଙ୍ଗା ଷ୍ଟେସନ୍‌ରେ ଘଣ୍ଟା ଘଣ୍ଟା ଧରି ଟ୍ରେନ୍‌କୁ ଠିଆ କରି ରଖାଯାଇ ମାଲବାହୀ ଟ୍ରେନଗୁଡ଼ିକୁ ଛଡାଯାଉଛି । ରେଳବାଇ କର୍ତ୍ତୃପକ୍ଷଙ୍କ ନିକଟରେ ସାଧାରଣ ଲୋକଙ୍କ ମୂଲ୍ୟ କିଛି ନାହଁ ବୋଲି ପରିଲକ୍ଷିତ ହେଉଛି । ରାତି ୧୨ଟାରେ ଷ୍ଟେସନ୍‌ରେ ପହଞ୍ଚିବା ଯୋଗୁଁ ଅଟୋଭଡାରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି ଏବଂ ବର୍ତ୍ତମାନ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଟ୍ରେନ୍‌ ଚଳାଚଳରେ ବିଳମ୍ବ ସାଧାରଣ ଲୋକେ, ମହିଳା, ଶିଶୁଙ୍କ ଅବସ୍ଥା ଦୟନୀୟ ହୋଇପଡୁଛି । ରାଉରକେଲାର ଜନସାଧାରଣ ଭୁବନେଶ୍ୱର, କଟକ, ବ୍ରହ୍ମପୁର, କୋଲକାତାକୁ ଅଧିକାଂଶ ଯାତାୟତ କରୁଥିବା ବେଳେ ଉପରୋକ୍ତ ଟ୍ରେନ୍‌ଗୁଡ଼ିକ ବିଳମ୍ବ ଏକ ନିତିଦିନିଆ ଘଟଣା ହୋଇଛି । ରେଳବାଇ କର୍ତ୍ତୃପକ୍ଷ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଦାବି କରିଛି ରାଉରକେଲା ଓକିଲ ସଂଘ । ଗତ କାଲି ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ରାଉରକେଲା ଓକିଲ ସଂଘର ସାଧାରଣ ପରିଷଦ ବୈଠକର ସଭ୍ୟମାନେ ବିଶେଷ ଉଦ୍‌ବେଗ ପ୍ରକାଶ କରିଥିବା ବେଳେ ଆଜି ସଂଘର ଏକ ପ୍ରତନିଧି ଦଳ ରାଉରକେଲା ଷ୍ଟେସନ୍‌ ମ୍ୟାନେଜର୍‌ଙ୍କୁ ସାକ୍ଷାତ କରି ଜନ ଗଣଙ୍କ ପ୍ରତିଦିନର ଏହି ସମସ୍ୟା ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଦାବି କରିବା ସହିତ ଡି ଆର୍‌ଏମ୍‌ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ଓ ସାଧାରଣ ରେଳ ଯାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏ ଦିଗରେ ଗୁରୁତ୍ୱ ସହିତ ପଦକ୍ଷେପ ନେବାକୁ ଦାବି ଜଣାଇଥିଲେ । ରାଉରକେଲା ଓକିଲ ସଂଘର ପ୍ରତିନିଧି ଦଳରେ ସଭାପତି ସଦାନନ୍ଦ ସାହୁ, ଉପସଭାପତି ରାଜ କିଶୋର ପ୍ରଧାନ, ସହ ସଂପାଦିକା ଅଞ୍ଜନା ଗହୀର, କାର୍ଯ୍ୟକାରୀ କମିଟି ସଦସ୍ୟ ଉଦୟ ଲାକ୍ରା, ବିଦ୍ୟାନନ୍ଦ ପ୍ରଧାନ, ମାଧବ ନାୟକ, ସୁରେଶ ପ୍ରସାଦ, ଭାଗବତ ପ୍ରସାଦ ସାହୁ, ନାଗେଶ୍ଵର ଜଗଦଳା, ପ୍ରତୀକ କୁମାର ସିଂହ, ସତ୍ୟଧାନ ଭଗତ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.