jayashree

ମୃତ ବ୍ୟକ୍ତି ଓ ଦାଦନ ଶ୍ରମିକଙ୍କ ନାମରେ ଭୋଟ ଦିଆଯାଇଥିବା ଅଭିଯୋଗ

ମୁରିବାହାଲ, (କେପିଏନ୍‌ଏସ୍‌) : ମୃତ ବ୍ୟକ୍ତି ତଥା ଦାଦନ ଶ୍ରମିକଙ୍କ ନାମରେ ଭୋଟ ଦିଆଯାଇଥିବା ଭଳି ଏକ ଗୁରୁତର ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କନ୍ଧାଖାଲ ଗାଁର ପାର୍ଥରାଜ ଲୁହା । ଶ୍ରୀ ଲୁହାଙ୍କ ଅଭିଯୋଗ ଅନୁସାରେ ଶୁକଲ ପୁଟେଲ ନାମ୍ନୀ ଜଣେ ବୃଦ୍ଧା ପାଖପାଖି ୬ ମାସ ତଳେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ନାମରେ ଭୋଟ ଦିଆଯାଇଛି । ସେହିପରି ଇନ୍ଦ୍ର କୁମ୍ଭାର ରାୟପୁରରେ ଅଛନ୍ତି, ଭାରତୀ କୁମ୍ଭାର ଟିଟିଲାଗଡ଼ରେ ରହୁଛନ୍ତି, ବିଶ୍ୱମ୍ବର କୁମ୍ଭାର ଓ ଜୟଶକ୍ତି ଧରୁଆ ରାଜ୍ୟ ବାହାରେ ଶ୍ରମିକ ଭାବେ କାମ କରୁଛନ୍ତି, ଧନଂଜୟ କୁମ୍ଭାର ମୁମ୍ବାଇରେ କାମ କରୁଛନ୍ତି, କିନ୍ତୁ ଏମାନଙ୍କ ନାମରେ ମତଦାନ ହୋଇଥିବା ଶ୍ରୀ ଲୁହା ଅଭିଯୋଗ କରିଛନ୍ତି । ଭୋଟର୍‌ ଲିଷ୍ଟ ଚେକ୍‌ କଲା ପରେ ସେ ଏସବୁ ତଥ୍ୟ ଜାଣିବାକୁ ପାଇଥିବା କହିଛନ୍ତି । ତେବେ ସେ ଏ ସଂପର୍କରେ ଗତକାଲି ନିର୍ବାଚନ ବେଳେ ପ୍ରିଜାଇଡ଼ିଂ ଅଫିସର ତଥା ପୁଲିଂ ଅଫିସର୍‌ ମାନଙ୍କୁ ଅଭିଯୋଗ କରି ଭୋଟିଂ ଲିଷ୍ଟ ମାଗିଥିବା ବେଳେ ଅଧିକାରୀମାନେ ସବ୍‌ କଲେକ୍ଟରଙ୍କ ପାଖରୁ ତଥ୍ୟ ନେବାକୁ କହିଥିଲେ ବୋଲି ଶ୍ରୀ ଲୁହା ପ୍ରକାଶ କରିଛନ୍ତି । ତେବେ ଏଭଳି ଅନେକ ମୃତ ବ୍ୟକ୍ତି ଏବଂ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିଯାଇଥିବା ଲୋକଙ୍କ ନାମରେ ଭୋଟିଂ ହୋଇଥିବା ସଂଦେହ ପ୍ରକାଶ କରିଛନ୍ତି ପାର୍ଥରାଜ ଲୁହା ।

Leave A Reply

Your email address will not be published.