ବିଗତ ୧୦ ବର୍ଷର ବିକାଶ ସପକ୍ଷରେ ଭୋଟ ଦିଅନ୍ତୁ : ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଗତ ୧୦ ବର୍ଷର ବିକାଶ ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଛନ୍ତି ସମରେନ୍ଦ୍ର । ଆସନ୍ତା ୨୦ ତାରିଖ ସାଧାରଣ ନିର୍ବାଚନ ସବୁ ଦଳର ରାଜନେତା ଭୋଟ ମାଗିବା ପାଇଁ ଆପଣମାନଙ୍କ ପାଖକୁ ଆସିବେ । ଭୋଟ ଦେବାବେଳେ ଆପଣମାନେ ନିଶ୍ଚିତ ଭାବେ ରାଜନେତାମାନଙ୍କ ଅତୀତ କାର୍ଯ୍ୟକଳାପକୁ ତର୍ଜମା କରିବେ । ଏବେ ଆପଣମାନଙ୍କ ପାଖକୁ ଏପରି ନେତା ଆସିବେ କିମ୍ବା ଆସି ସାରିଥିବେ ଯେଉଁମାନେ ଦୀର୍ଘ ବର୍ଷ ଧରି ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସାଂସଦ ଥାଇ ମଧ୍ୟ ଲୋକଙ୍କ ସମସ୍ୟା ଏବଂ ଅଂଚଳର ବିକାଶ ପ୍ରତି ଅଣଦେଖା କରି ଆସୁଛନ୍ତି । ଏପରି କି ନୈତିକତାକୁ ଭୁଲି ଭୋଟ ହାତେଇବା ପାଇଁ ସେହି ରାଜନେତାମାନେ ଅନେକ ପ୍ରକାର ମିଛ ପ୍ରତିଶୃତି ଦେଇ ଆପଣଙ୍କ ମୁଲ୍ୟବାନ ଭୋଟ ହତେଇବା ପାଇଁ ଅପଚେଷ୍ଟା କରିଛନ୍ତି । ଏହି ପରି ରାଜନେତାଙ୍କୁ ବରଖାସ୍ତ କରିବାକୁ ମୁଁ ନିବେଦନ କରୁଛି । ବଲାଙ୍ଗିର ସହରର ରାସ୍ତାଘାଟର ଉନ୍ନତି, ସ୍ୱାସ୍ଥ୍ୟ ସେବା, ଶିକ୍ଷା, କ୍ରୀଡା ଭିତ୍ତିଭୂମି, ପର୍ଯ୍ୟଟନ ସହ ବଲାଙ୍ଗିରର ସାମଗ୍ରିକ ଉନ୍ନତି ୨୦୧୪ ପରେ ନରସିଂହ ମିଶ୍ରଙ୍କ ଉଦ୍ୟମ ଫଳରେ ସମ୍ଭବ ହୋଇ ପାରିଛି ଓ ଆମ ସହର ବିକଶିତ ହୋଇପାରିଛି । ଅତଏବ ଏହି ବିକାଶ ପ୍ରକ୍ରିୟାକୁ ନିରନ୍ତର ଜାରି ରଖିବା ପାଇଁ କଂଗ୍ରେସ ଦଳର ପ୍ରାର୍ଥୀଙ୍କୁ ହାତ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ବଲାଙ୍ଗିର ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ଆଜି ସନ୍ଧ୍ୟାରେ ସ୍ଥାନୀୟ ବିକ୍ରମ ଛକରୁ ଦୈନିକ ବଜାର ଦେଇ ସମଲେଶ୍ୱରୀ ଛକ ପର୍ଯ୍ୟନ୍ତ ଘରକୁ ଘର, ରାସ୍ତା କଡ଼ର ଦୋକାନ, ଗ୍ରାହକ, ବ୍ୟବସାୟୀ ଏବଂ ସାଧାରଣ ଜନତାଙ୍କୁ ଭେଟି ସଚେତନତା କରିବା ସହ ଭୋଟ ଭିକ୍ଷା କରିଛନ୍ତି । ପରେ ପୌରାଂଚଳ ଅନ୍ତର୍ଗତ ବେହେରାପାଲିରେ ଆୟୋଜିତ ନିର୍ବାଚନୀ ସଭାରେ ବିଧାୟକ ପ୍ରାର୍ଥୀ ଶ୍ରୀ ମିଶ୍ର ଯୋଗଦେଇ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ଆପଣମାନେ ବିଗତ ୧୦ ବର୍ଷର ବିକାଶ ସପକ୍ଷରେ ମତଦାନ କରନ୍ତୁ ଏବଂ ନାରୀ ନିର୍ଯ୍ୟାତନାକାରୀ, ମିଛ ପ୍ରତିଶୃତି ଦେଉଥିବା ବଲାଙ୍ଗିର ରାଜ ପରିବାରକୁ ପ୍ରତ୍ୟାଖାନ କରନ୍ତୁ । ଏହି ଅଂଚଳ ବିକାଶଧାରାକୁ ଆଗେଇ ନେବାକୁ ହେଲେ ପୁଣି ଥରେ କଂଗ୍ରେସ ଦଳକୁ ଭୋଟ ଦିଅନ୍ତୁ । ଅବହେଳିତ ସମାଜର ସ୍ୱର ହେଉଛି କଂଗ୍ରେସ ଦଳ । ଦେଶ ଓ ରାଜ୍ୟରେ ଯଦି କେଉଁ ଦଳ ଲୋକଙ୍କ ହକ୍‌ର କଥା କହୁଛି ସେ ହେଉଛି କଂଗ୍ରେସ ଦଳ, ଅବହେଳିତ ନିସ୍ପେଷିତଙ୍କୁ ସାମାଜିକ ତଥା ଅର୍ଥନୈତିକ ସୁରକ୍ଷା ହେଉ କି ଯୁବକଙ୍କୁ ରୋଜଗାର କଥା ହେଉ, ସେ ସବୁର ସମସ୍ୟାର ସମାଧାନ ପାଇଁ କେବଳ ନିର୍ବାଚନ ସମୟରେ ନୁହେଁ ବର୍ଷ ତମାମ ଲୋକସଭା, ବିଧାନସଭା ଓ ରାଜରାସ୍ତାରେ କଂଗ୍ରେସ ଦଳ ହିଁ ଅବହେଳିତଙ୍କ ସ୍ୱର ଭାବରେ କାମ କରି ଆସୁଅଛି । ଅତଏବ ଆପଣମାନଙ୍କୁ ମୁଁ ବିନମ୍ର ଅନୁରୋଧ କରୁଛି ଆପଣମାନେ ବଲାଙ୍ଗିର ବିଜେଡି ଏବଂ ବିଜେପି ଦଳର ପ୍ରତିଦ୍ୱନ୍ଦି ପ୍ରାର୍ଥୀଙ୍କୁ ପ୍ରତ୍ୟାଖାନ କରି ଆମ ଅଂଚଳର ସ୍ୱାର୍ଥ ଏବଂ ବିକାଶ ପାଇଁ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଏବଂ ସାଂସଦ ପ୍ରାର୍ଥୀଙ୍କୁ ମୂଲ୍ୟବାନ ଭୋଟ ଦିଅନ୍ତୁ । ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର କଂଗ୍ରେସର ନିର୍ବାଚନୀ ଗ୍ୟାରେଣ୍ଟି ସଂପର୍କରେ ମଧ୍ୟ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି ।

Leave A Reply

Your email address will not be published.