jittmm
sonalika

କେନ୍ଦୁପତ୍ର ଫଡିରେ ଶିଶୁ ଶ୍ରମିକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପାଟଣାଗଡ଼ କେନ୍ଦୁପତ୍ର ଡିଭିଜନ୍‌ ଅଧୀନ ଖପ୍ରାଖୋଲ ରେଞ୍ଜରେ ୧୫ ବର୍ଷରୁ କମ୍‌ ବୟସର ନାବାଳକ ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଦେଖିବାକୁ ମିଳିଛି । ସରକାର କେନ୍ଦୁପତ୍ର ତୋଳାଳୀ ମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରି ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀ ମାନେ ସରକାରୀ ଟଙ୍କାକୁ ବିଭିନ୍ନ ଉପାୟ ଅବଲମ୍ବନ କରି ବାଟମାରଣା କରୁଥିବା ଭଳି ସଂଗୀନ ଅଭିଯୋଗ ହୋଇଛି । ବର୍ତ୍ତମାନ ସମୟରେ କେନ୍ଦୁପତ୍ର ଫଡି ମାନଙ୍କରେ ଶ୍ରମିକମାନେ ତୋଳୁଥିବା କେନ୍ଦୁପତ୍ର ଗୁଡ଼ିକୁ ଖରାରେ ଶୁଖାଇବା ପାଇଁ ଶ୍ରମିକ ମାନଙ୍କୁ ଏହି କାମରେ ନିୟୋଜିତ କରିବାର ନିୟମ ଥିଲେ ସୁଦ୍ଧା ପ୍ରତ୍ୟେକ ପତ୍ରଫଡ଼ି ମାନଙ୍କରେ ନିକଟସ୍ଥ ଗ୍ରାମଗୁଡିକର ନାବାଳକ ଶିଶୁ ମାନଙ୍କୁ ପତ୍ର ଓଲଟାଇ ଶୁଖାଇବା କାମରେ ନିୟୋଜିତ କରାଯାଉଛି ଶିଶୁ ଶ୍ରମିକ ନିରୋଧ ଆଇନର ଖୋଲାଖୋଲି ଉଲଂଘନ ହେଉଥିବା ଦେଖିବାକୁ ମିଳୁଛି । କେନ୍ଦୁପତ୍ର କେରୀକୁ ଖରାରେ ଓଲଟାଇ ଶୁଖାଇବା କାର୍ଯ୍ୟରେ ୪ ଜଣ ଶିଶୁ ଶ୍ରମିକ ଆଜି ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ବର୍ତ୍ତିଆ ଗ୍ରାମ ସ୍ଥିତ କେନ୍ଦୁପତ୍ର ଫଡିରେ କାମ କରୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ମୁନ୍‌ସୀ ହାଡ଼ିପ୍ପା ନାଗଙ୍କ ଉପସ୍ଥିତିରେ ୧୦୦ରୁ ୧୫୦ ଟଙ୍କା ଦିଆଯାଉଛି ବୋଲି କାମକରୁଥିବା ଶିଶୁ ଶ୍ରମିକମାନେ ପ୍ରକାଶ କରିଥିଲେ । କାହିଁକି ନା ଶ୍ରମିକ ମାନଙ୍କ ମଜୁରୀ ହାରାହାରି ୩୦୦ ଟଙ୍କା ହୋଇଥିବାବେଳେ ଏହି ଶିଶୁ ଶ୍ରମିକ ମାନଙ୍କୁ ମାତ୍ର ଏକ ସହ ଟଙ୍କା ମଜୁରୀ ଦେଇ ପତ୍ରଫଡି କର୍ମଚାରୀ ମାନେ କାମ ହାସଲ କରି ନେଉଛନ୍ତି । ଯା ଫଳରେ ଜଣେ ଶ୍ରମିକ ପିଛା ୧୫୦ ଟଙ୍କା ସ୍ଥାନୀୟ ମୁନସୀ ଏବଂ କେନ୍ଦୁପତ୍ର କର୍ମଚାରୀ ଟଙ୍କାକୁ ବାଟମାରଣା କରି ଫାଇଦା ଉଠାଉଥିବା ଜଣାପଡିଛି । ସେଥିପାଇଁ ଗରିବ ନିରୀହ ପିଲାମାନେ କିଛି ଟଙ୍କା ଲୋଭରେ ନିଜର ପାଠପଢ଼ା ଛାଡି ଏହି କାମରେ ନିୟୋଜିତ ହୋଇଥାଆନ୍ତି । ଏନେଇ ଖପ୍ରାଖୋଲ କେନ୍ଦୁପତ୍ର ରେଞ୍ଜର ସତ୍ୟମଞ୍ଜରୀ ତାଣ୍ଡିଙ୍କୁ ଭେଟିବା ପାଇଁ ଚେଷ୍ଟା କଲେ ମଧ୍ୟ ଅଫିସରେ ତାଙ୍କ ଦେଖା ନାହିଁ । ସପ୍ତାହକୁ ତିନିଦିନ ଅଫିସ ଆସିଲେ ବାକି ଦିନ ଆସୁନଥିବା କାର୍ଯ୍ୟାଳୟରେ ଚର୍ଚ୍ଚା ହେଉଛି । ତାଙ୍କୁ ଫୋନ୍‌ରେ ଯୋଗାଯୋଗ କରିବାରୁ ସେ ବାରମ୍ବାର ବିଭାଗୀୟ କର୍ମଚାରୀ ମାନଙ୍କୁ ତାଗିଦ କଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି କହିଥିଲେ, କାର୍ଯ୍ୟାଳୟର କର୍ମଚାରୀ ସମସ୍ତ ଶ୍ରମିକ ମାନେ ବାହାର ରାଜ୍ୟକୁ ଦାଦନ ଖଟି ଯାଇଥିବାରୁ ଶ୍ରମିକ ମିଳୁ ନାହାନ୍ତି ସେଥିପାଇଁ ବାଧ୍ୟ ହୋଇ ଶିଶୁ ଶ୍ରମିକ ନିୟୋଜିତ ହେଉଛନ୍ତି ବୋଲି ମତ ଦେଇଥିଲେ । ସରକାର ଶିଶୁ ମାନଙ୍କ ଭବିଷ୍ୟତକୁ ନେଇ ଡିମ୍‌ଡିମ ପିଟୁଥିବା ବେଳେ ପତ୍ରଫଡି ଗୁଡିକରେ ସାମାନ୍ୟ କିଛି ଟଙ୍କା ଲୋଭ ଦେଖାଇ ଶିଶୁଙ୍କୁ ନିୟୋଜିତ କରାଯାଉଥିବା ଭଳି ସଂଗୀନ ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.