ନୃସିଂହନାଥ ମନ୍ଦିର ଖୋଳାଯିବା ସଂକ୍ରାନ୍ତୀୟ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ କଟକଣା ଯୋଗୁଁ ବନ୍ଦ ରହିଥିବା ପଶ୍ଚିମ ଓଡିଶା ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଆସନ୍ତା ତାରିଖ ୬ ବୁଧବାର ଦିନ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ନିମନ୍ତେ ଖୋଲାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜି ନୃସିଂହନାଥ ମନ୍ଦିର ଅତିଥି ଭବନରେ ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମନ୍ଦିର ଖୋଳିବା ସଂକ୍ରାନ୍ତିୟ ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ମଧ୍ୟରେ କୋଭିଡ ନିୟମାବଳୀ ପାଳନ ସହିତ ମାକ୍ସ ବ୍ୟବହାର, ସାମାଜିକ ଦୂରତା ରକ୍ଷା, ହେଣ୍ତ ସାନିଟାଇଜକୁ ବାଧ୍ୟତା ମୂଳକ କରାଯାଇଛି । ସେହିଭଳି ସିଂହଦ୍ବାର ପାଖରେ ଥର୍ମାଲସ୍କାନିଂ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ମନ୍ଦିର ଭିତରକୁ ଧୂପ,ଦୀପ ଏବଂ ଫୁଲ ନେବାକୁ ବାରଣ କରାଯାଇଛି । ବିଭିନ୍ନ ଝରଣାରେ ସ୍ନାନ କରିବା ଉପରେ କଟଣା କରାଯାଇଛି । ବରିଷ୍ଠ ନାଗରିକ,ଛୋଟ ପିଲା,ରୋଗରେ ପୀଡିତ ବ୍ୟକ୍ତି ବିଶେଷ ଏବଂ ଗର୍ଭବତୀ ମହିଳାଙ୍କୁ ମନ୍ଦିର ଭିତରେ ପ୍ରବେଶ ଉପରେ ବାରଣ ରହିଛି । ଆସନ୍ତା ତା ୬/୧/୨୦୨୧ ରିଖ ଠାରୁ ୭ ଦିନ ଧରି ବରଗଡ଼ ଜିଲ୍ଲାର ଭକ୍ତ ଏବଂ ଶ୍ରଦ୍ଧାଳୁ ମାନେ ଯେ କୌଣସି ପରିଚୟ ପତ୍ର ଦେଖାଇ ମନ୍ଦିର ଦର୍ଶନ କରିବେ ।

ମନ୍ଦିର ଖୋଲା ହେବାର ୭ ଦିନ ପରେ ଓଡିଶାର ଅନ୍ୟାନ୍ୟ ଜିଲ୍ଲାର ଭକ୍ତ ଏବଂ ଶ୍ରଦ୍ଧାଳୁ ମାନେ ନିଜ ପରିଚୟ ପତ୍ର ସହିତ ୭୨ ଘଣ୍ଟା ପୂର୍ବର କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ଠାକୁରଙ୍କ ଦର୍ଶନ କରି ପାରିବେ । ସେହିଭଳି ବତ୍ତର୍ମାନ ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ବାହାର ରାଜ୍ୟର ଶ୍ରଦ୍ଧାଳୁ ମାନଙ୍କ ପାଇଁ ଦର୍ଶନ ବନ୍ଦ ରହିବ । ଜାନୁଆରୀ ୬ ତାରିଖରୁ ପ୍ରତ୍ୟେକ ଦିନ ସକାଳ ୮ ଘଣ୍ଟାରୁ ୧୦ ଘଣ୍ଟା, ୧୦ ଘଣ୍ଟା ୩୦ ମିନିଟରୁ ୧୨ ଘଣ୍ଟା, ଅପରାହ୍ନ ୨ ଘଣ୍ଟାରୁ ୪ ଘଣ୍ଟା ଏବଂ ୪ ଘଣ୍ଟା ୩୦ ମିନିଟରୁ ସଂଧ୍ୟା ୬ ଘଣ୍ଟା ପର୍ୟ୍ୟନ୍ତ ଶ୍ରଦ୍ଧାଳୁ ମାନେ ଠାକୁରଙ୍କୁ ଦର୍ଶନ କରି ପାରିବେ । ଆଜିକାର ଏହି ବୈଠକରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ପାଇକମାଲ ବିଡିଓ ସୁରେନ୍ଦ୍ର କୁମାର ମେହେର, ମନ୍ଦିର କାର୍ୟ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ପାଇକମାଲ ତହସିଲଦାର ମନୋଜ କୁମାର ମେହେର, ପାଇକମାଲ ଆଇଆଇସି ବିଶ୍ବଜିତ ମନବୋଧ, ମନ୍ଦିର ପରିଚାଳନା କମିଟି ସଦସ୍ୟ ସୁବୋଧ ପଣ୍ଡାଙ୍କ ସମେତ ମନ୍ଦିରର ସେବାୟତ, ପରିଚାଳନା କମିଟି ସଦସ୍ୟ, ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ, ପ୍ରେସ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହା ପରେ ଜିଲ୍ଲାପାଳ ଏବଂ ମନ୍ଦିର ପରିଚାଳନା କମିଟି ସଦସ୍ୟ ମାନେ ମନ୍ଦିର ପରିସର ବୁଲି ଦେଖିବା ସହିତ ପରିସ୍ଥିତିର ଅନୁଧ୍ୟାନ କରିଥିଲେ ।

Leave A Reply

Your email address will not be published.